୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର ଅଶୋକ କୁମାର ନାୟକ । ସୂଚନା ଅନୁଯାୟୀ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଠାରୁ ରେଙ୍ଗାଲ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ଦାବି କରିଥିଲେ ବଲାଙ୍ଗୀର ମୁରିବାହାଲ ରେଞ୍ଜ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାୟକ। ଚାଷୀ ଜଣକ କିଛି ଦିନ ପୂର୍ବରୁ ତାଙ୍କ ନିଜ ଜମିରୁ କଟାଯାଇଥିବା ଗୋଟିଏ ସାଗୁଆନ ଏବଂ ଗୋଟିଏ ସାଲ ଗଛର କାଠ ପରିବହନ ପାଇଁ ଅନୁମତି ମାଗିଥିଲେ। ସରକାରୀ ନିୟମ ଅନୁଯାୟୀ, ପୂର୍ବ ଅନୁମତି ବିନା ଗଛ କାଟିବା ପାଇଁ ଅଶୋକ ନାୟକ ୨,୦୦୦ ଟଙ୍କା ଜରିମାନା କରିଥିଲେ କିନ୍ତୁ ପରିବହନ ଅନୁମତି ଦେବା ପାଇଁ ସେ ୧୦,୦୦୦ ଟଙ୍କା ଲାଞ୍ଚ ମଧ୍ୟ ଦାବି କରିଥିଲେ। ଲାଞ୍ଚ ନ ଦେଲେ ସେ ଚାଷୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଚାଷୀ ଜଣକ ପୂର୍ବରୁ ଅନୁମତି ନେବା ବିଷୟରେ ଜାଣି ନ ଥିବାରୁ ସେ ୨୦୦୦ ଟଙ୍କା ଜରିମାନା ଦେଇଥିଲେ କିନ୍ତୁ ନାୟକ କାଠ ପରିବହନ ପାଇଁ ଅନୁମତି ଦେବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ଅସୁବିଧାର ଶିକାର ହୋଇ ଚାଷୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ସୂଚନା ପାଇ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଫରେଷ୍ଟରଙ୍କୁ ଚାଷୀଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଓ ଲାଞ୍ଚ ଟଙ୍କା ୧୦ହଜାର ନେଉଥିବା ସମୟରେ ଗିରଫ କରିଛି । ଅଭିଯୁକ୍ତ ଫରେଷ୍ଟରଙ୍କ କବଜାରୁ ମୋଟ ୧୨,୦୦୦ ଟଙ୍କା ଜବତ କରାଯାଇଛି। ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଅଫିସ୍ ପାଖରେ ଥିବା ଫରେଷ୍ଟରଙ୍କ ଘରେ ଚଢାଉ ବେଳେ ଖଟ ତଳୁ, ସ୍କାଏ ଲାଇଟ୍ ଓ ଝରକାରୁ ପୁଳାପୁଳା ଟଙ୍କା ବାହାରିଛି ।














