ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ କମିଶନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଗାମୀ ଜାନୁଆରୀ ୨୦୨୬ରୁ ନୂଆ ବେତନ ଲାଭ କରିପାରିବେ ବୋଲି ଅନୁମାନ କରାଯାଉଛି। ଅଷ୍ଟମ ବେତନ କମିଶନ ଲାଗୁ ହେଲେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ ୬୯ ଲକ୍ଷ କର୍ମଚାରୀଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି ପାଇବ । NC-JCM ସଚିବ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ଯଦି ଅଷ୍ଟମ ବେତନ କମିସନ ଲାଗୁ କରିବାରେ ବିଳମ୍ବ ହୋଇପାରେ, ତଥାପି ଏହାକୁ ୧ ଜାନୁଆରୀ, ୨୦୨୬ରୁ କାର୍ଯ୍ୟକାରୀ ବୋଲି ବିବେଚନା କରାଯିବ। ଅଷ୍ଟମ ବେତନ କମିଶନ ମଞ୍ଜୁର ହେବାର ଖବର ଆସିବା ପରେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ଲହର ଦେଖାଦେଇଛି। ପୂର୍ବରୁ ଯେପରି ପେନସନରେ ଜୀବନ ଚଳାଇବା କଷ୍ଟକର ହେଉଥିଲା, ନୂଆ ବେତନ କମିଶନ ଲାଗୁ ହେଲେ ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବ ବୋଲି ଆଶା କରାଯାଉଛି।














