ବିଜେପିରେ କୁହୁଳୁଛି ଅସନ୍ତୋଷ . ଦଳର ତଥାକଥିତ ସୁପ୍ରିମୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ବିରୋଧ. ଦଳ ଭିତରେ ବିଶୃଙ୍ଖଳା ବଢିଗଲାଣି ଏବଂ ଦଳ ଭିତରେ ଶୃଙ୍ଖଳା ଆଣିବା ପାଇଁ ବିଜେପି ରାଜ୍ୟ କାର୍ୟ୍ୟାଳୟ ଆଗରେ ଧାରଣା ଓ ଅନଶନରେ ବସିଛନ୍ତି ଯାଜପୁର ଜିଲ୍ଲାର ପୂର୍ବତନ ମଣ୍ଡଳ ସଭାପତିମାନେ.
ବିରୋଧ କରିଛନ୍ତି ଯାଜପୁର ଜିଲ୍ଲାର ମଣ୍ଡଳ ସଭାପତି ପଦରୁ ବିତାଡିତ ନେତାମାନେ. ସେମାନେ ଦଳର ମଣ୍ଡଳ ସଭାପତି ପଦରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ କାର୍ୟ୍ୟକାଳ ସରିବା ପୂର୍ବରୁ ସେମାନଙ୍କୁ ସାଂଗଠନିକ ପଦରୁ ବାହାର କରିଦିଆଯାଇଥିଲା. ଦଳର ଜିଲ୍ଲା ସଭାପତିଙ୍କ ଏଭଳି ପଦକ୍ଷେପକୁ ବିରୋଧ କରି ସେମାନେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଫେରାଦ ହୋଇଥିଲେ. ମାତ୍ର ସେମାନଙ୍କୁ ଧର୍ମେନ୍ଦ୍ର କୁଆଡେ ଅତି କଟୁ ଭାଷାରେ କହିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି. ଦଳ ଯଦି ତମମାନଙ୍କ ପ୍ରତି ଅନ୍ୟାୟ କରିଛି, ତେବେ ସେଭଳି ଅନ୍ୟାୟ ସହ ମୁଁ ମଧ୍ୟ ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ. ଭଲ ନ ଲାଗିଲେ ଦଳ ଛାଡି ଅନ୍ୟ ଦଳକୁ ଚାଲି ଯିବାକୁ ପରାମର୍ଶ ଦେଇଥିଲେ. ଦଳର ରାଜ୍ୟ ସଂଗଠନରେ ସୁପ୍ରିମୋ ବୋଲାଉଥିବା ଧର୍ମେନ୍ଦ୍ରଙ୍କ ଏଭଳି କଟୁଭାଷାରେ ବ୍ୟଥିତ ହୋଇ ଯାଜପୁର ଜିଲ୍ଲାର ପୂର୍ବତନ ମଣ୍ଡଳ ସଭାପତିମାନେ ବିଜେପି ରାଜ୍ୟ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି. ସେମାନେ ଦଳ ପାଇଁ କାମ କରିଛନ୍ତି ଏବଂ ସେମାନଙ୍କୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here