ଚାରି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସାଂସଦ ସସ୍ମିତ ପାତ୍ରଙ୍କୁ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପରାମର୍ଶଦାତା ମାନସ ମଙ୍ଗରାଜ, ନାରୀନେତ୍ରୀ ସୁଲତା ଦେଓ ଓ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରିଛି ବିଜେଡି । ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଚାରିଜଣ ଯାକ ପ୍ରାର୍ଥୀ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ନାଁ ଘୋଷଣା ପରେ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହ ଓଡିଶାର ସ୍ବାର୍ଥରକ୍ଷା ପାଇଁ ସଂସଦରେ ସ୍ବର ଉତ୍ତୋଳନ କରିବେ ବୋଲି କହିଛନ୍ତି । ଦୀର୍ଘବର୍ଷ ଧରି ସାମ୍ବାଦିକତା କରିଥିବା ମାନସ ଏବେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ସୁଲତା କହିଛନ୍ତି, ଜଣେ ନବାଗତା ହିସାବରେ ନବୀନ ତାଙ୍କୁ ରାଜ୍ୟସଭା ପାଇଁ ଚୟନ କରିଥିବାରୁ ସେ କୃତଜ୍ଞ । ରାଜ୍ୟର ସ୍ବରକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ସେହିପରି ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଥିବାରୁ ସସ୍ମିତ କହିଛନ୍ତି, ସେ ସଂସଦରେ ତାଙ୍କ ସ୍ବର ଆହୁରି ଶାଣିତ କରିବେ । ଓଡିଶାର ସ୍ବାର୍ଥ ପାଇଁ କେନ୍ଦ୍ର ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ନିରଞ୍ଜନ ବିଶି କହିଛନ୍ତି ।