ସ୍କୁଲ ଅଛି, ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି, ପିଲା ବି ଅଛନ୍ତି, ହେଲେ ପାଠପଢା ଠପ୍ । ବିଡମ୍ବନାର ବିଷୟ ଯେ, ୮୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠପଢାରୁ ବ ଞ୍ଚିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଏରିଆ ଗୋପ ବ୍ଲକରେ । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଭାଗା ତେଲୁଗୁ ସାହିରେ ଥିବା ଚନ୍ଦ୍ରଭାଗା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୨୦୦୩ ମସିହାରେ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତେଲୁଗୁ ସମ୍ପ୍ରଦାୟର । ହେଲେ ଏଠାରେ ପାଠ ପଢାଇବାକୁ ତେଲୁଗୁ ଶିକ୍ଷକ ନାହାନ୍ତି । ଅଛନ୍ତି କେବଳ ଦୁଇଜଣ ଓଡିଆ ଶିକ୍ଷକ । ଶିକ୍ଷାବିଭାଗ ପକ୍ଷରୁ ପାଠ ପଢିବା ପାଇଁ ପିଲାମାନଙ୍କୁ ତେଲୁଗୁ ଭାଷାର ବହି ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି । ହେଲେ ଓଡିଆ ଶିକ୍ଷକ ହୋଇଥିବାରୁ ସେମାନେ ଓଡିଆ ଭାଷାର ବହି ପଢାଉଛନ୍ତି । ଯାହା ଫଳରେ କୁନିକୁନି ପିଲାମାନେ ଓଡିଆ ଭାଷାର ବହି ପଢିବା ତ ଦୁରର କଥା, ଓଡିଆ ଭାଷା ଭଲରେ ବୁଝି ବି ପାରୁନାହାନ୍ତି । ନିଜ ମାତୃଭାଷାରେ ପାଠ ପଢାଯାଉ ନଥିବାରୁ ବାଧ୍ୟ ହୋଇ ପିଲାମାନେ ଅଧାରୁ ସ୍କୁଲ ଛାଡି ନିଜର ପାରମ୍ପରିକ ବୃତ୍ତି ମାଛ ଧରିବା ପାଇଁ ସମୁଦ୍ରକୁ ଚାଲିଯାଉଛନ୍ତି । ସ୍କୁଲରେ ଯେଉଁ ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ସେମାନେ ତେଲୁଗୁରେ ପାଠ ପଢାଇ ପାରୁନଥିବାରୁ ସ୍ୱେଚ୍ଛାକୃତ ଭାବରେ ଦୁଇଜଣ ଯୁବକ ଯୁବତୀ ଦୀର୍ଘ ୪ବର୍ଷ ହେବ ତେଲୁଗୁ ଭାଷାରେ ପିଲାମାନଙ୍କୁ ପାଠ ପଢାଉଥିଲେ । ହେଲେ ସେମାନଙ୍କୁ ପାରିଶ୍ରମିକ ମିଳୁ ନଥିବାରୁ ସେମାନେ ବି ମୁହଁ ଫେରାଇଲେଣି । ଏପଟେ ତେଲୁଗୁ ବସ୍ତିର ଅଭିଭାବକମାନେ ଗଣଶିକ୍ଷାମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଗୋପ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଫଳ ଶୂନ୍ । ଯଦି ଶିକ୍ଷାମନ୍ତ୍ରୀଙ୍କ ନିଜ ବ୍ଲକରେ ଏହିଭଳି ସମସ୍ୟା, ତେବେ ଅନ୍ୟ ବ୍ଲକ କିଭଳି ଥିବ ତାହା ସହଜରେ ଅନୁମେୟ ।

LEAVE A REPLY

Please enter your comment!
Please enter your name here