ଗତକାଲି (ବୁଧବାର) ହଂକଂ ପୋ’ ଜିଲ୍ଲାର ଏକ ହାଉସିଂ କମ୍ପ୍ଲେକ୍ସରେ ଥିବା ଏକାଧିକ ବଡ଼ ବଡ଼ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଉପର ମହଲାରେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ବ୍ୟକ୍ତି ଏବେବି ନିଖୋଜ ଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ରିପୋର୍ଟ ଅନୁଯାୟୀ, ତଦନ୍ତକାରୀ ଅଧିକାରୀ ଆପାର୍ଟମେଣ୍ଟର କିଛି ଝରକାକୁ ଅବରୋଧ କରୁଥିବା କମ୍ପାନୀର ନାମ ଲେଖାଥିବା ଜ୍ୱଳନଶୀଳ କିଛି ସାମଗ୍ରୀ ପାଇଛନ୍ତି । ଯେପରିକି ସୁରକ୍ଷାମୂଳକ ଜାଲି, କାନଭାସ୍ ସିଟ୍ ଏବଂ ପ୍ଲାଷ୍ଟିକ୍ ଆବରଣ । ଏଥିରେ ନିଆଁ ଲାଗିବା ଦ୍ବାରା ଅଧିକ ମାତ୍ରାରେ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି । କମ୍ପ୍ଲେକ୍ସର ଆଠଟି ଟାୱାର ମଧ୍ୟରୁ ସାତଟି, ଯେଉଁଠାରେ ଅନେକ ବୟସ୍କ ବାସିନ୍ଦା ରହୁଥିଲେ । ଅଗ୍ନିକାଣ୍ଡ ଘଟିବାର କିଛି ଘଣ୍ଟା ପରେ ମଧ୍ୟ ଜଳୁଥିଲା । ପ୍ରାୟ ୩୦ ବର୍ଷ ମଧ୍ୟରେ ଏହି ଅଗ୍ନିକାଣ୍ଡ ହଂକଂରେ ସବୁଠାରୁ ଘାତକ ବୋଲି କୁହାଯାଉଛି ।














