ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ପାହାଡ଼ିଆ ରାସ୍ତାରୁ ନିୟନ୍ତ୍ରଣ ହରାଇ ହଜାର ଫୁଟ ଗଭୀର ଖାଲରେ ଖସିପଡ଼ିଛି। ଦୁର୍ଘଟଣାରେ ୨୨ଜଣ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।ସୁଚନା ଅନୁସାରେ ଟ୍ରକ୍ଟିରେ ମୋଟ ୨୩ ଜଣ ଶ୍ରମିକ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟକୁ କାମ କରିବାକୁ ଯାଉଥିଲେ।ଯିବା ସମୟରେ ଏକ ବିପଜ୍ଜନକ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା ।ସ୍ଥାନୀୟ ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରେସ୍କ୍ୟୁ ଟିମ୍ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଜୀବନ୍ତ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟେମ ପାଇଁ ପଠାଯାଇଛି। କିଛି ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କ ପରିଚୟ ମିଳିନାହିଁ ।ରାଜ୍ୟ ସରକାର ଏହି ଦୁର୍ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପୀଡ଼ିତ ପରିବାରମାନଙ୍କ ପାଇଁ ସହାୟତା ଘୋଷଣା କରିବାକୁ ଯୋଜନା କରୁଛନ୍ତି ଏବଂ ଏହା ସହ ଦୁର୍ଘଟଣାର କାରଣ ଖୋଜିବାପାଇଁ ଏକ ବିଶେଷ ତଦନ୍ତ ଟିମ୍ ଗଠନ କରାଯାଇଛି।














