ଆଜି ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ୪୨୫ କୋଟି ଟଙ୍କାର ନୂତନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ଏବଂ ୨୦୬୩ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନୂଆ ସରକାର ଆସିବା ପରେ ୩୮ ହଜାର ନିଯୁକ୍ତି ମିଳି ସାରିଲାଣି । ଭୁବନେଶ୍ୱର ଓୟୁଏଟି ଓଡ଼ିଶା କୃଷି ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ ସ୍ୱପ୍ନକୁ ସାକାର କରିବାକୁ ହେଲେ ଦିନରାତି ବହୁତ କଠିନ ପରିଶ୍ରମ ଏବଂ ଉଦ୍ୟମ କରିବାକୁ ପଡ଼େ । କେବଳ ସ୍ୱପ୍ନ ଦେଖିଲେ ସାକାର ହୁଏ ନାହିଁ, ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଉଛି । ବିକଶିତ ଭାରତର ବିକାଶର ଦ୍ୱାର ହେବ ପୂର୍ବ ଭାରତ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା । ଆମକୁ ରେଳ ଇଞ୍ଜିନ ହୋଇ ବିକାଶର ରେଳକୁ ଆଗକୁ ବଢ଼ାଇବାକୁ ପଡ଼ିବ । ସେଥିପାଇଁ ମାନବ ସମ୍ବଳର ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ମିଳିବ । ପ୍ରଥମ ୧୬ ମାସରେ ୧୨ଟି ନିଯୁକ୍ତି ମେଳା ଜରିଆରେ ୩୭ ହଜାର ୩୨୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସାରିଲାଣି । ଆଜି ୧୩ତମ ନିଯୁକ୍ତି ମେଳାରେ ଆଉ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି । ଏହାକୁ ମିଶାଇ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ମିଳିଛି ।













