ଛତିଶଗଡ଼ ସୁକମା ଜିଲ୍ଲାରେ ୨୬ ଜଣ ମାଓବାଦୀ ଆଜି ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ୨୬ ଜଣ ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ଉପରେ ୬୫ ଲକ୍ଷର ପୁରସ୍କାର ଥିଲା। ଏସପି କିରଣ ଚୌହ୍ୱାନ କହିଛନ୍ତି, ୨୬ ଜଣ ମାଓବାଦୀଙ୍କ ମଧ୍ୟରେ ସାତ ଜଣ ମହିଳା ଅଟନ୍ତି । ସେମାନେ “ପୁଣେ ମାର୍ଗେମ” ଯୋଜନା ଅଧୀନରେ ସାଧାରଣ ଜୀବନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଏମାନେ ପିପୁଲ୍ସ ଲିବରେସନ ଗରିଲା ଆର୍ମି ବାଟାଲିୟନ, ଦକ୍ଷିଣ ବସ୍ତର ଡିଭିଜନର ମାଓ ସଂଗଠନ, ମାଡ୍ ଡିଭିଜନ ଏବଂ ଆନ୍ଧ୍ର-ଓଡିଶା ସୀମାନ୍ତ ଡିଭିଜନରେ ସକ୍ରିୟ ଥିଲେ। ଏହି ନକ୍ସଲମାନେ ଛତିଶଗଡ଼ର ଅଭୁଜମାଡ, ସୁକମା ଏବଂ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ୨୦୧୭ ମସିହାରେ କୋରାପୁଟ ଜିଲ୍ଲାରେ ଏକ ଗାଡ଼ିକୁ ଟାର୍ଗେଟ କରି ହୋଇଥିବା ଆଇଇଡି ବିସ୍ଫୋରଣରେ ସମ୍ପୃକ୍ତ ଥିଲା । ଯେଉଁଥିରେ ୧୪ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ହେମଲା ଲଖମା ୨୦୨୦ ମସିହାରେ ସୁକମାର ମିନପାରେ ହୋଇଥିବା ଆକ୍ରମଣରେ ସାମିଲ ଥିଲା, ଯେଉଁଥିରେ ୧୭ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ସରକାରୀ ନୀତି ଅନୁଯାୟୀ ସେମାନଙ୍କୁ ପୁନର୍ବାସ କରାଯିବ। ଅବଶିଷ୍ଟ ମାଓ ସଂଗଠନ ସହିତ ଜଡିତ ସମସ୍ତ ଲୋକଙ୍କୁ ହିଂସା ପରିତ୍ୟାଗ କରିବାକୁ ଆହ୍ୱାନ ମଧ୍ୟ କରାଯାଇଛି । ସମସ୍ତଙ୍କୁ ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ପ୍ରଦାନ କରିବାର ଆଶ୍ୱାସନା ଦିଆଯାଇଛି।














