ନୂଆ ଇତିହାସ ରଚିଲା ଇସ୍ରୋ ।ରବିବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) CMS-03 ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ଉତକ୍ଷେପଣ କରିଛି। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି ୪,୪୧୦ କିଲୋଗ୍ରାମ ଓଜନର ସାଟେଲାଇଟକୁ ମହାକାଶକୁ ଉତକ୍ଷେପଣ କରିଛି । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ । ଦେଶରେ ଡିଜିଟାଲ୍ ଯୋଗାଯୋଗ, ଇଣ୍ଟରନେଟ୍ ଏବଂ ସାମୁଦ୍ରିକ ସଂଯୋଗ ହେବ ସୁଦୃଢ଼ ।ନୂତନ ଉପଗ୍ରହ GSAT-7R ବା CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଯାହା ଭାରତୀୟ ସ୍ଥଳଭାଗ ସହିତ ବିଶାଳ ସମୁଦ୍ର ଅଞ୍ଚଳରେ ସେବା ପ୍ରଦାନ କରିବ ।ଏହି ଉପଗ୍ରହକୁ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା, ଯାହାକୁ ଏହାର ଭାରୀ ଉଠାଣ କ୍ଷମତା ପାଇଁ “ବାହୁବଳୀ” ନାମ ଦିଆଯାଇଛି। ଭାରତୀୟ ନୌସେନାର GSAT 7R (CMS-03) ଯୋଗାଯୋଗ ଉପଗ୍ରହ ଭାରତୀୟ ନୌସେନାର ଏପର୍ଯ୍ୟନ୍ତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ହେବ । ଏହା ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ନୌସେନା ବିମାନ ମଧ୍ୟରେ ଭଏସ୍, ଭିଡିଓ ଏବଂ ତଥ୍ୟ ପ୍ରସାରଣ ଭଳି ଅନେକ ଫ୍ରିକ୍ବେନ୍ସିର ବ୍ୟବହାର କରିବ । ଏହି ଉପଗ୍ରହର ଉନ୍ନତ କଭରେଜ୍ ଭାରତର ନେଟୱର୍କ-କେନ୍ଦ୍ରିକ ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବା ସହ ନୌସେନାକୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ କ୍ଷେତ୍ରରେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସକ୍ଷମ କରିବ ।

LEAVE A REPLY

Please enter your comment!
Please enter your name here