ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ଦେଖିବାକୁ ମିଳିଛି ହାଇଡ୍ରାମା । କଂଗ୍ରେସ ଦଳରେ ଲୋକେ ମିଶିବାକୁ ଚାହୁଁଥିବାବେଳେ ଗ୍ରହଣ କରୁନି କଂଗ୍ରେସ । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବୁଧବାର ନିଜ ସମର୍ଥକଙ୍କ ସହିତ କଂଗ୍ରେସରେ ମିଶିବାକୁ ଆସିଛନ୍ତି । କିନ୍ତୁ କଂଗ୍ରେସ ଭବନ ଗେଟ୍ ନ ଖୋଲିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ନାଣ୍ଡୁ ଜଣେ ଅପରାଧ ଶ୍ରେଣୀର ବ୍ୟକ୍ତି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସୂଚନା ଅନଯାୟୀ ନାଣ୍ଡୁ ଧଳ ନିଜ ସମର୍ଥକଙ୍କ ସହିତ ଆସି ପହଁଚି ଥିଲେ । କିନ୍ତୁ ନାଣ୍ଡୁଙ୍କ ପାଇଁ ଗେଟ୍ ଖୋଲି ନ ଥିଲା । ଗେଟ୍ ସାମ୍ନାରେ ପୋଲିସ ମଧ୍ଯ ମୁତୟନ ହୋଇଥିଲେ । ଫାଟକରେ ତାଲା ପକାଇଯାଇଥିଲା । କାହାରିକୁ ଭିତରକୁ ଯିବାକୁ ଅନୁମତି ମିଳି ନ ଥିଲା । ଏପରିକି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ କାର୍ଯ୍ୟାଳୟକୁ ଆସିନଥିଲେ । ନାଣ୍ଡୁ କହିଛନ୍ତି, ତାଙ୍କର ଭକ୍ତ ଦାସଙ୍କ ସହିତ ପୂର୍ବରୁ ଆଲୋଚନା ହୋଇଥିଲା । ସେ କୌଣସି ଦଳୀୟ ଟିକେଟ୍ ଆଶାରେ ମିଶିବାକୁ ଆସିନାହାଁନ୍ତି । କଂଗ୍ରେସ ସହିତ ପୂର୍ବରୁ ମଧ୍ୟ ଅଛନ୍ତି, କେବଳ ଦଳକୁ ଆଗକୁ ନେବାକୁ ସେ ମିଶିବାକୁ ଇଚ୍ଛା କରୁଛନ୍ତି । ଯଦି ଭୁବନେଶ୍ୱରରେ ସାମିଲ ନ କରାଯାଏ ସିଏ ଦିଲ୍ଲୀ ଯାଏ ଯିବେ । ରାହୁଲ ଗାନ୍ଧୀଙ୍କୁ ଦେଖା କରିବେ ଏବଂ ସେ ସେମାନଙ୍କ କଥା ବୁଝିବେ ବୋଲି ଚେତାବନୀ ଦେଇଛନ୍ତି । କେବଳ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚାଲିଯିବେ ବୋଲି କହିଛନ୍ତି । ତାଙ୍କ ସମର୍ଥକମାନେ ମଧ୍ୟ ହୋହାଲ୍ଲା କରିଛନ୍ତି । ପିସିସି ସଭାପତି ଭକ୍ତ ଦାସ ନାଣ୍ଡୁ ଧଳଙ୍କୁ ମତ ଦେଇଛନ୍ତି। ସେ କହିଛନ୍ତି, “ନାଣ୍ଡୁ ଧଳ ଜଣେ ଅପରାଧି ଚରିତ୍ରର ବ୍ୟକ୍ତି । ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ। ସଦସ୍ୟତା ଛଡ଼ାଇକି ନିଆଯାଏ ନାହିଁ। ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରନ୍ତି, ଯାଆନ୍ତୁ ମୁଁ ଅଧ୍ୟକ୍ଷ ଭାବେ ସ୍ପଷ୍ଟ କରୁଛି, ତାଙ୍କୁ ଗ୍ରହଣ କରାଯିବ ନାହିଁ।”








