ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା ଗୁରୁବାର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ସେ ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଘଟଣାରେ ଏବେ ବି ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି।ଗତକାଲି ୧୨ ଜଣଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଥିଲା।ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୋଲିସ୍ ପର୍ଦାଫାସ୍ କରିବା ପରେ ତାଙ୍କ ସାନ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କ ନାଁ ଶୁଣି ସେମାନେ ଅବାକ୍ ହେଇଯାଇଛନ୍ତି କାରଣ ତାଙ୍କ ଭାଇଙ୍କ ସହ ସେମାନଙ୍କର ଭଲ ସମ୍ପର୍କ ଥିଲା । ପୀତବାସ ନିଜେ ବିକ୍ରମ ପଣ୍ଡାଙ୍କୁ ପରିଚୟ କରାଇଥିଲେ । ରାଜନୀତିରେ ବିରୋଧ ଥାଇପାରେ, କିନ୍ତୁ ଏହାକୁ ଆଧାର କରି ବ୍ୟକ୍ତିଗତ ରାଗ ରଖି ହତ୍ୟା କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିକ୍ରମ ପଣ୍ଡା ପୀତବାସଙ୍କ ଅନ୍ତିମ ସଂସ୍କାର ଦିନ ଓ ପରଦିନ ଘରକୁ ଆସି ମଧ୍ଯ ପରିବାରକୁ ସମବେଦନା ଜଣାଇଥିଲେ ।








