ପୁଣି ପୁଞ୍ଜିଲାଲର ମାଷ୍ଟର ପ୍ଲାନ । ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ ଜେଲରୁ ଖସି ପଳାଇବାକୁ ଉଦ୍ୟମ କରିଛି ପୁଞ୍ଜିଲାଲ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଅପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ଥିବା ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସବୁ ପ୍ଲାନ ଫେଲ ମାରିଛି । ଗୁରୁବାର ସକାଳ ପ୍ରାୟ ୭ଟା । ୬ ଅଭିଯୁକ୍ତଙ୍କ ସହ ପୁଞ୍ଜିଲାଲ ଜେଲ ଭିତର କାରାଗାରରୁ ବାହାରି ମୁଖ୍ୟ ଗେଟ୍ ପାଖକୁ ଚାଲି ଆସିଥିଲେ। କଏଦୀମାନେ ମୁଖ୍ୟଗେଟ୍ ପାଖକୁ ଚାଲି ଆସିଥିବା ଦେଖି ଜେଲ ୱାର୍ଡେନ୍ ସାଇରନ୍ ବଜାଇଥିଲେ । ଏହାପରେ ଜେଲରେ ମୁତୟନ ସୁରକ୍ଷା ବାହିନୀ ସେଠାକୁ ଆସି ସମସ୍ତଙ୍କୁ କାବୁ କରି ପୁଣି ଜେଲ ଭିତରକୁ ନେଇଥିଲେ । ସେଠାରେ କଏଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଧସ୍ତାଧସ୍ତି । ଘଟଣାକୁ ଆଖିଆଗରେ ରଖି ପାଟଣାଗଡ଼ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି । ପୁଞ୍ଜିଲାଲ ମେହେର ଜେଲରୁ ଖସି ପଳାଇବାକୁ ନୂଆ ଷଡ଼ଯନ୍ତ୍ର କରିଥିବା ଚର୍ଚ୍ଚାର ବିଷୟ ହୋଇଛି ।