ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦର ତିନି ପ୍ରମୁଖ ସଦସ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଜୈଶ ଇ ମହମ୍ମଦ ସଂଗଠନର ମୁଖ୍ୟ ତଥା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି.  ଜାତିସଂଘ ସୁରକ୍ଷା ପରିଷଦ ଯଦି  ତିନି ପ୍ରମୁଖ ରାଷ୍ଟ୍ରଙ୍କ ପ୍ରସ୍ତାବକୁ ଗୃହୀତ କରି ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିଦିଏ, ତେବେ ମାସୁଦ ଆଝାର ଅନ୍ୟ ରାଷ୍ଟ୍ରକୁ ଯାତାୟତ କରିବା ନିଷେଧ ହୋଇଯିବ. ମାସୁଦର ସଂପତ୍ତି ବ୍ୟାଜାପ୍ତ କରାଯିବ. ତିନି ପ୍ରମୁଖ ରାଷ୍ଟ୍ରଙ୍କ ଏହି ପ୍ରସ୍ତାବକୁ ରୁଷିଆ ମଧ୍ୟ ସମର୍ଥନ ଦେବ. ତେବେ ପୂର୍ବରୁ ଏଭଳି ପ୍ରସ୍ତାବକୁ ବିରୋଧ କରି ଆସୁଥିବା ଚୀନ ଉପରେ ସମସ୍ତଙ୍କ ନଜର ରହିଛି. ପୂର୍ବରୁ 2009, 2016 ଏବଂ 2017ରେ ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଏବଂ ଜୈସ ଇ ମହମ୍ମଦକୁ ନିଷେଧ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ଏଭଳି ପ୍ରସ୍ତାବ ଦିଆଯାଇଥିଲା. ମାତ୍ର ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ଚୀନ  ସବୁଥର ଭିଟୋ ପ୍ରୟୋଗ କରି ପ୍ରସ୍ତାବକୁ ବିରୋଧ କରିଆସୁଛି. କିନ୍ତୁ ଏଥର ପୁଲଓ୍ବାମା ଆକ୍ରମଣ ପରେ ଭାରତ ଆତଙ୍କବାଦୀ ପ୍ରସଙ୍ଗରେ ଚୀନ ସମେତ ବିଶ୍ବର ଅଧିକାଂଶ ରାଷ୍ଟ୍ରର ସମର୍ଥନ ହାସଲ କରିବାକୁ ସଫଳ ହୋଇଛି. ପାକିସ୍ତାନ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ସଂପର୍କରେ ମଧ୍ୟ ଚୀନକୁ ଅବଗତ କରାଯାଇଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଚୀନ ଗସ୍ତ କରି ରୁଷିଆ ଓ ଚୀନ ପ୍ରତିପକ୍ଷଙ୍କ ସହ ଆତଙ୍କବାଦୀ ସଂପର୍କରେ ଆଲୋଚନା କରିଛନ୍ତି.  ଜୈସ ଇ ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ଖୁଲମଖୁଲା ସମର୍ଥନ ଦେବା ପାକ୍ ସେନା ସହାୟତା ଦେଇ ଆସୁଛି. ଏପରିକି ପାକିସ୍ତାନରେ ମାସୁଦକୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି. ଯଦିଓ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ପାକିସ୍ତାନକୁ ବାରମ୍ବାର ଚେତାବନୀ ଦେଇ ଆସିଛି .

LEAVE A REPLY

Please enter your comment!
Please enter your name here