ଆବୁଧାବିରେ ଆୟୋଜିତ ହୋଇଥିବା ଅର୍ଗାନାଇଜେସନ ଫର୍ ଇସଲାମିକ କୋପରେସନ ବୈଠକରେ ପାକିସ୍ତାନକୁ ଲାଗିଛି ଝଟକା. ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆତଙ୍କବାଦର ତୀବ୍ର ନିନ୍ଦା ଓ ବିରୋଧ କରିଛନ୍ତି. ନାଁ ନ ନେଇ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ସୁଷମା. ସେ କହିଛନ୍ତି ଧର୍ମ ନାଁରେ ଲୋକମାନଙ୍କୁ ଭାଗ ଭାଗ କରାଯାଉଛି, ଧର୍ମ ଯୁଦ୍ଧ ନାଁରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି. ସେଥିପାଇଁ ଧର୍ମ ବିରୋଧରେ ନୁହେଁ, ବରଂ ଆତଙ୍କବାଦ ବିରୋଧରେ ଲଢେଇ ହେଉ ବୋଲି ସେ କହିଛନ୍ତି. ଏହାଛଡା ଯୁବକଙ୍କୁ ଆତଙ୍କବାଦ ନୁହେଁ, ଯୁଗ ନିର୍ମାଣରେ ନିୟୋଜିତ କରାଯାଉ. ଭାରତରେ କୋଟି କୋଟି ମୁସଲମାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ବାସ କରୁଛନ୍ତି ଏବଂ ଭାରତୀୟ ମୁସଲମାନମାନେ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ କଥା ହୋଇଥାନ୍ତି. ଅଧିକାଂଶ ଇସଲାମୀୟ ରାଷ୍ଟ୍ର ଏବେ ଆତଙ୍କବାଦର ଶିକାର ହୋଇଛନ୍ତି ବୋଲି କହିଛନ୍ତି ସୁଷମା. ଅନ୍ୟପଟେ ଓଆଇସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମଦ କ୍ୟୁରେସି ଯୋଗ ଦେଇ ନଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here