ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି. ହେଲେ ରାୟଗଡା ଜିଲ୍ଲାରେ ପହଞ୍ଚିପାରିନି ସରକାରଙ୍କ ଯୋଜନା. ପ୍ରକୃତ ଭିନ୍ନକ୍ଷମ ମାନଙ୍କୁ ସହାୟତା ନ ମିଳିବାରୁ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାୟଗଡା ସଦର ବ୍ଲକ ନାଥମା ଗାଁର ଉର୍ବସୀ ମେଲେକା. ପିଲାବେଳୁ ବାପାଙ୍କ ମୃତ୍ୟୁ ପରେ ଜେଜେଙ୍କ ଜିମା ଦେଇ ମା ଚାଲିଗଲା. ଏବେ ଉର୍ବସୀ ଭିନ୍ନକ୍ଷମ ସାଙ୍ଗଙ୍କୁ ମସ୍ତିଷ୍କ ରୋଗରେ ପୀଡିତ. ଆଉ ଏଥିପାଇଁ ଅର୍ଥ ସାଜିଛି ବାଧକ.

ରାୟଗଡା ସଦର ବ୍ଲକ ନାଥମା ଗାଁର 8 ବର୍ଷର ଝିଅ ଉର୍ବସୀ ମେଲେକା. ପିଲାବେଳୁ ହାତ ଗୋଡ କାମ କରୁନି. ତଥାପି ଅନ୍ୟମାନଙ୍କ ସହ ଖେଳବୁଲ କରିବା ପାଇଁ ଚେଷ୍ଟା ଜାରି ରଖିଛି ଉର୍ବସୀ. ବିଡମ୍ବନାର କଥା ହେଲା, 4 ବର୍ଷ ତଳେ ଉର୍ବସୀର ବାପାଙ୍କ ମୃତ୍ୟୁ ପରେ ଛାଡି ଚାଲିଯାଇଥିଲା ମା. ଆଉ ତା ପରେ ଦୁଃଖର ପାହାଡ ସତେ ଯେପରି ଏହି ନାବାଳିକା ଉପରେ ପଡିଗଲା. ବାପାମା ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଉର୍ବସୀର ସବୁ ଦୁଃଖ ବୁଝୁଛନ୍ତି ବୃଦ୍ଧ ଜେଜେମା ଓ ଜେଜେ ବାପା. ଦୁର୍ଭାଗ୍ୟର କଥା, ଆଜି ଯାଏଁ ଉର୍ବସୀକୁ ସରକାରଙ୍କ ତରଫରୁ ମିଳୁନି କୌଣସି ସାହାଯ୍ୟ. ଅନ୍ୟପଟେ ମସ୍ତିଷ୍କ ରୋଗରେ ପୀଡିତ ଥିବା ଉର୍ବସୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ.

ଠିକ୍ ଭାବରେ ଚଲାବୁଲା କରିପାରୁନଥିବାରୁ ଏ ଯାଏଁ ସ୍କୁଲ ବାରଣ୍ଡା ଦେଖିନାହିଁ ଉର୍ବସୀ. ସାଙ୍ଗସାଥୀଙ୍କ ମେଳରେ ପଢିବାର ରୁଚି ରଖୁଥିଲେ ମଧ୍ୟ ଅନେକ ସମୟରେ ମୁର୍ଚ୍ଛା ହୋଇ ପଡିଯାଉଥିବାରୁ କୌଣସି ପିଲା ଉର୍ବସୀର ପାଖ ବି ମାଡୁନାହାନ୍ତି. ଘଟଣାର ଅନୁଧ୍ୟାନ କରାଯାଇ ଉର୍ବସୀକୁ ଭତ୍ତା ପ୍ରଦାନ କରାଯିବା ସହ ଉଚ୍ଚ ଚିକିତ୍ସା ପ୍ରଦାନ କରାଯିବ ବୋଲି କହିଛନ୍ତି ବିଡିଓ.

LEAVE A REPLY

Please enter your comment!
Please enter your name here