ପୁରୀ ଲୋକସଭା ଆସନକୁ ହାତେଇବା ପାଇଁ ଭାରତୀୟ ଜନତା ପାର୍ଟି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛି. ପୂର୍ବରୁ ମୋଦି ପୁରୀ ଆସନ ପାଇଁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା. ମାତ୍ର ସମ୍ବିତଙ୍କୁ ଟିକଟ ମିଳିବା ପରେ ସବୁ ଚର୍ଚ୍ଚାର ଅନ୍ତ ଘଟିଥିଲା. ହେଲେ ଜଗନ୍ନାଥଙ୍କ ମୂର୍ତ୍ତିକୁ ହାତରେ ଧରି ନାମାଙ୍କନ ଦାଖଲ କରିଥିବା ସମ୍ବିତଙ୍କ ପାଇଁ ଏହି ଆସନକୁ ଜିତିବା ଏତେ ସହଜ ନୁହେଁ. ହିନ୍ଦୁ ଧର୍ମର ପବିତ୍ର ତୀର୍ଥସ୍ଥଳୀ ପୁରୀକୁ ପାରମ୍ପରିକ ରୂପେ ବିଜେଡିର ଗଡ ବୋଲି କୁହାଯାଏ. ରାଜନୀତି କରୁଥିବା ବିଜେପି ପୁରୀ ଗଡକୁ ହାତେଇବା ପାଇଁ ସବୁବେଳେ ଚେଷ୍ଟା କରିଆସିଛି. ମାତ୍ର ଏହା ବିଜେପି ପାଇଁ ଏକ ସ୍ୱପ୍ନ ହୋଇ ରହିଯାଇଛି. ଏବେ ପୁରୀରୁ ସାଂସଦ ଅଛନ୍ତି ବିଜେଡିର ପିନାକୀ ମିଶ୍ର ଏବଂ ସେ ପୁରୀବାସୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ମଧ୍ୟ ଅଛନ୍ତି. ଯଦି ପୂର୍ବ ନିର୍ବାଚନ କଥା କୁହାଯାଏ, ତେବେ ବିଜେଡିର ପିନାକୀ ମିଶ୍ର 50 ପ୍ରତିଶତ ଭୋଟରେ ଜିତିଥିଲେ. ପରେ କଂଗ୍ରେସ ଦ୍ୱିତୀୟ ନମ୍ବର ଓ ବିଜେପି ତୃତୀୟ ନମ୍ବରରେ ରହିଥିଲା. ସେତେବେଳେ ବିଜେପିକୁ ପାଖାପାଖି 20 ପ୍ରତିଶତ ଭୋଟ ମିଳିଥିଲା. 1998 ମସିହାରୁ ବିଜେଡି ଲଗାତର ପୁରୀଗଡ ଜିତିଆସୁଥିବା ବେଳେ 1998 ମସିହାରୁ 2004 ମସିହା ପର୍ଯ୍ୟନ୍ତ ବ୍ରଜ କିଶୋର ତ୍ରିପାଠୀ ବିଜେଡି ଟିକଟରେ ଜିତିଛନ୍ତି ଏବଂ 2009ରୁ ପିନାକୀ ମିଶ୍ର ପୁରୀ ସାଂସଦ ରହିଛନ୍ତି. ତେବେ ଦୀର୍ଘ 20 ବର୍ଷ ଧରି ପୁରୀ ଗାଦିରେ ବିଜେଡି ରାଜ କରୁଥିବା ବେଳେ ଏବେ ସମ୍ବିତ କିପରି ତାକୁ ହାସଲ କରିବେ ତାହା ଦେଖିବାକୁ ବାକି ରହିଲା. 2014ରେ ପୁରୀରେ ବିଜେଡି 50 ପ୍ରତିଶତ ଭୋଟ ପାଇ ବିଜୟ ଲାଭ କରିଥିଲା.