ମାରାଥନ ମିଟିଂ, ଘନଘନ ପ୍ରଚାର ଓ ପୁଳାପୁଳା ଟଙ୍କା ଉଡାଇବା ପରେ ଆଜି ଥିଲା ପ୍ରଥମ ପରୀକ୍ଷା । ୨୦୧୯ ମହାସମରର ଶେଷ ହୋଇଛି ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ଆଜି ସାରା ଦେଶରେ ଆରମ୍ଭ ହୋଇଥିଲା ଗଣତନ୍ତ୍ରର ପ୍ରଥମ ପର୍ୟ୍ୟାୟ ଭୋଟିଂ । ତମାମ ଦେଶରେ ୨୦ଟି ରାଜ୍ୟରେ ମୋଟ୍ ୯୧ ଲୋକସଭା ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଥିଲା । ଓଡିଶାରେ ପ୍ରଥମ ପର୍ୟ୍ୟାୟରେ ୪ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଲୋକେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ । କଡା ସୁରକ୍ଷା ମଧ୍ୟରେ ୭ହଜାର ୨୩୩ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା । ଅନେକ ପ୍ରାର୍ଥୀ ମଧ୍ୟ ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ । କିନ୍ତୁ ଅନେକ ଜାଗାରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିଲା । ମତଦାନ ବିଳମ୍ବ ହେବାରୁ ଅନେକ ଭୋଟର ଭୋଟ ନ ଦେଇ ଘରକୁ ଫେରିଥିବା ଦେଖାଯାଇଥିଲା । ଅନ୍ୟପଟେ ବିଭିନ୍ନ ଅଞ୍ଚଳରେ ମୌଳିକ ସୁବିଧା ମିଳୁ ନଥିବାରୁ ନେତାଙ୍କ ଉପରେ ନାରାଜ ଲୋକେ ଭୋଟ ବର୍ଜନ କରିଛନ୍ତି । ରାସ୍ତାଘାଟ ସମସ୍ୟା, ପିଲାଙ୍କ ପାଠପଢା ପାଇଁ ସୁବିଧା ନଥିବା ଏବଂ ପିଇବା ପାଣିର ସୁବିଧା ନଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ନିର୍ବାଚନ ମଣ୍ଡଳୀରେ । ମାଲକାନଗିରିରେ କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ଥିବାରୁ ପ୍ରତିବାଦରେ ଲୋକେ ରାସ୍ତା ଅବରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here