ନୂଆଦିଲ୍ଲୀ: ଇରାନର ହୋର୍ମୁଜ୍ ପ୍ରଣାଳୀରେ ମର୍ଚ୍ଚାଣ୍ଟ ଶିପ୍ ଆରବ ଏମିରେଟ୍ସ (UAE)ର ତେଲ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିବା ପରେ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ପକ୍ଷରୁ ସମନ ଜାରି କରାଯିବା ପରେ ଇରାନର ଡେପୁଟି ଚିଫ୍ ଅଫ୍ ମିଶନ (DCM) ମହମ୍ମଦ ଜୱାଦ ହୁସେନୀଙ୍କ ସମେତ ଅନ୍ୟ କୂଟନୀତିଜ୍ଞମାନେ ସାଉଥ୍ ବ୍ଲକ‌୍‌ସ୍ଥିତ ବିଦେଶ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ବୈଠକରେ ଭାରତୀୟ ଅଧିକାରୀମାନେ ସାମୁଦ୍ରିକ କ୍ଷେତ୍ରରେ କାର୍ଯ୍ୟରତ ହଜାର ହଜାର ଭାରତୀୟ ନାବିକ ଓ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ବିପଦସଙ୍କୁଳ ଜଳଭାଗରେ ଭାରତୀୟଙ୍କ ସୁରକ୍ଷା ସହ କୌଣସି ପ୍ରକାର ଆପୋଷ ବୁଝାମଣା କରାଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।ଖବର ଅନୁଯାୟୀ, ଇରାନ ପକ୍ଷରୁ ୟୁଏଇର ‘ମୋମ୍ବାସା’ ନାମକ ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା। ଏହି ଭୟାବହ ଆକ୍ରମଣରେ ଜଣେ ଭାରତୀୟ କ୍ରୁ ମେମ୍ବର ନିଜର ପ୍ରାଣ ହରାଇଛନ୍ତି। ଅନ୍ୟ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନ ନାଗରିକ ରହିଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବା ଜଣାପଡ଼ିଛି। ଆକ୍ରମଣ ପରେ ଦୁଇଟିଯାକ ଟ୍ୟାଙ୍କରରେ ଭୟାବହ ନିଆଁ ଲାଗିଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଆୟତ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here