ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ନେତାମାନଙ୍କର ବଢିଲାଣି ହୃଦସ୍ପନ୍ଦନ । ଅପେକ୍ଷା ରେଜଲ୍ଟକୁ । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ମତ ଗଣନା କରାଯିବ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି । ରାଜ୍ୟର ୬୩ ଗଣନା କେନ୍ଦ୍ର କରାଯାଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ମୋଟ ୧୪ଟି ଟେବୁଲ୍‌ରେ ଲୋକସଭା ଓ ବିଧାନସଭା ଭୋଟ୍‌ ଗଣନା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ମେ ୨୩ ତାରିଖ ସକାଳ ୮ଟାରୁ ମତ ଗଣନା ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ୍‌ ଗଣତି କରାଯିବ । ଏହାର ଅଧା ଘଣ୍ଟା ପରେ ଇଭିଏମ୍‌ ଗଣନା ଆରମ୍ଭ ହେବ । ଏହାପରେ ଭିଭିପାଟ୍‌ ଗଣତି ଆରମ୍ଭ ହେବ । ଚଳିତ ଥର ପ୍ରାୟ ୧ ଲକ୍ଷ ପୋଷ୍ଟାଲ୍‌ ବାଲାଟ୍‌ ଭୋଟ୍‌ ହସ୍ତଗତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମୋଟ ୧୪ଟି ଟେବୁଲ୍‌ରେ ଲୋକସଭା ଓ ବିଧାନସଭା ଭୋଟ୍‌ ଗଣନା କରାଯିବ । ୭ଟି ଟେବୁଲ୍‌ରେ ଲୋକସଭା ଓ ୭ଟି ଟେବୁଲ୍‌ରେ ବିଧାନସଭାର ଭୋଟ୍‌ ଗଣାଯିବ । ଓଡ଼ିଶାରେ ଅଧିକ ୪୧୧ଟି ଟେବୁଲ୍‌ ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ଅଣାଯାଇଛି । ତେଣୁ ରାଜ୍ୟରେ ମୋଟ୍‌ ୨୪୬୨ଟି ଟେବୁଲ୍‌ ରହିଛି । ଏହି କାର୍ଯ୍ୟକୁ ତଦାରଖ କରିବାକୁ ଜଣେ ଅବଜର୍ଭର୍‌ ରହିବେ । ସେହିପରି ସମ୍ବଲପୁର ନିର୍ବାଚନ ଫଳାଫଳ ଶୀଘ୍ର ଆସିବାର ସମ୍ଭାବନା ରହିଛି । କାରଣ ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଗଣତି ହେବ । ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି କରାଯିବ । ସେହିପରି ଲକି ଡ୍ର ମାଧ୍ୟମରେ ପ୍ରତି ଆସନରେ ୫ଟି ବୁଥର ଭିଭିପାଟ୍‌ ଗଣତି କରାଯିବ । ଗୋଟିଏ ପରେ ଗୋଟିଏ ଭିଭିପାଟ୍‌ ମେସିନ୍‌ର ବାଲାଟ୍‌ ପେପର୍‌ ଗଣାଯିବ । ଯେଉଁମାନେ ଗଣନା କରିବେ ସେମାନେ କେବଳ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଷୟରେ ଅବଗତ ଥିବେ । ସେହି ଦିନ ତାଙ୍କୁ ତାଙ୍କର ଟେବୁଲ୍‌ ନମ୍ବର ବିଷୟରେ ସୂଚନା ଦିଆଯିବ ।

LEAVE A REPLY

Please enter your comment!
Please enter your name here