ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶେଷରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକମାନଙ୍କୁ ସୂଚନା ଦେଇ ନିରଞ୍ଜନ କହିଛନ୍ତି,“ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି । ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି । ସେ କହିଛନ୍ତି, ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ । ରାଜନୀତିରେ ନୀତି, ଆଦର୍ଶ ନାହିଁ’, ବ୍ୟବସାୟୀକରଣ ହୋଇଛି । ନୀତି, ଆଦର୍ଶବାନ ଯୁବପିଢ଼ି ନେତୃତ୍ୱ ପାଇଁ ଆଗେଇ ଆସନ୍ତୁ” ମୁଁ କଂଗ୍ରେସରେ ରହିଛି, ରହିବି ଏବଂ ଦଲକୁ ମଜଭୁତ କରିବି ବୋଲି ନିରଞ୍ଜନ କହିଛନ୍ତି ।
ସୁଚନାଯୋଗ୍ୟ, ନିରଞ୍ଜନ ୨ଟି ଆସନରୁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି । ଘସିପୁରାରୁ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ନିକଟରୁ ସେ ହାରିଥିବା ବେଳେ ଭଣ୍ଡାରିପୋଖରୀରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ନିକଟରୁ ହାରି ଯାଇଛନ୍ତି ।
ଚଳିତ ନିର୍ବାଚନରେ ଭୋଟ ହୋଇଥିବା 146 ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ କେବଳ ୯ଟି ହାତେଇବାରେ ସକ୍ଷମ ହୋଇପାରିଛି । ଆଉ ୨୧ ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି ଏହି ଦଳକୁ ।