ନବନିର୍ବାଚିତ ସାଂସଦଙ୍କୁ ଟିପ୍ସ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ. ଆଜି ନବୀନ ନିବାସରେ ଦଳର ନିର୍ବାଚିତ 12 ଜଣ ସାଂସଦଙ୍କ ବୈଠକ ବସିଥିଲା. ସଂସଦରେ ଓଡିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତଥାପନ କରିବା ଉପରେ ନବୀନ ପରାମର୍ଶ ଦେଇଛନ୍ତି. ଚଳିତ ନିର୍ବାଚନରେ ବିଜେଡିର ବାର ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 7ଜଣ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି. ଅନ୍ୟ ପାଞ୍ଚଜଣଙ୍କ ମଧ୍ୟରୁ ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ. ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ ଓ ଚନ୍ଦ୍ରଶେଖର ସାହୁ ପୂର୍ବରୁ ଲୋକସଭା ସଦସ୍ୟ ରହିଛନ୍ତି. ନିର୍ବାଚିତ ସାଂସଦଙ୍କ ମଧ୍ୟରେ ପାଞ୍ଚଜଣ ମହିଳା ସାଂସଦ ରହିଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି. ଚନ୍ଦ୍ରାଣୀ ମୁର୍ମୁ ସର୍ବକନିଷ୍ଠା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରମିଳା ବିଶୋୟୀ, ଶର୍ମିଷ୍ଠା ସେଠୀ ଓ ମଞ୍ଜୁଲତା ମଣ୍ଡଳଙ୍କର କୌଣସି ସଂସଦୀୟ ଅଭିଜ୍ଞତା ନାହିଁ. ପ୍ରଥମ ଥର ପାଇଁ ନିର୍ବାଚିତ ସାଂସଦମାନଙ୍କୁ ସଂସଦର ନିୟମାବଳୀ ସଂପର୍କରେ ବୈଠକରେ ସୂଚନା ଦିଆଯାଇଛି.