ଷୋଡ଼ଶ ବିଧାନସଭାର ବାଚସ୍ପତି ହୋଇଛନ୍ତି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ପଦ ପାଇଁ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ପରେ ବାଚନିକ ଭୋଟରେ ସୂର୍ଯ୍ୟ ନାରାୟଣ ପାତ୍ର ସର୍ବସମ୍ମତକ୍ରମେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ସୁପାରିଶ କରାଯାଇ ନଥିଲା । ବରଂ ବାଚସ୍ପତି ନିର୍ବାଚନ ବେଳେ ବିଜେପି ବିଧାୟକମାନେ ଗୃହରେ ଅନୁପସ୍ଥିତ ଥିଲେ । ଗୃହରେ ବିଜେଡ଼ିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଶ୍ରୀ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ସର୍ବସମ୍ମତକ୍ରମେ ବାଚସ୍ପତି ଭାବେ ତାଙ୍କୁ ନିର୍ବାଚିତ କରାଯାଇଥିବାରୁ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସୂର୍ଯ୍ୟ । ଏହା ସହିତ ଓଡ଼ିଶାର ସ୍ୱାର୍ଥ ପାଇଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ତାଙ୍କୁ ସହଯୋଗ କରିବାକୁ ସେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି । ଗୃହର ଗାରିମା ରକ୍ଷା କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୂର୍ଯ୍ୟ ନାରାୟଣ ପାତ୍ର ମୋଟ ୭ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ମୋହନାରୁ ୪ ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଛନ୍ତି । ସାତଥର ବିଧାୟକ ରହିବା ଭିତରେ ସୂର୍ଯ୍ୟନାରାୟଣ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ରହି ଆସିଛନ୍ତି .