ଗାଁ ଗହଳିରେ ଆପଣମାନେ ଦେଖିଥିବେ ସିମେଣ୍ଟ କୂଅ । ହେଲେ ଆମେ ଆଜି ଆପଣଙ୍କୁ ଦେଖାଇବୁ ବାଉଁଶରୁ କେମିତି ପ୍ରସ୍ତୁତ ହେଉଛି କୂଅ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଦେଖନ୍ତୁ ପ୍ରସ୍ତୁତ ଚାଲିଛି ବାଉଁଶ କୂଅ । ଜଳକଷ୍ଟ ଦୂର ପାଇଁ ଚାଷୀମାନଙ୍କର ଅଭିନବ ପ୍ରୟାସ । ଖଣ୍ଡେ ଖଣ୍ଡେ ବାଉଁଶ କଟା ଚାଲିଛି । ଦୁଇଟି ଲୁହାରଡରେ ବାଉଁଶକୁ ହୋଲ୍ଡିଂ କରାଯାଉଛି । ତାପରେ ରାଉଣ୍ଡ କରାଯାଇ ପ୍ରସ୍ତୁତ ହେଉଛି ନନ୍ଦ । ବାଉଁଶ କୂଅ ପାଇଁ ବ୍ୟବହାର ହେଉଛି କିଛି ଶୁଖିଲା ବାଉଁଶ, ୮ ଏମଏମ ରଡ, ପାଇପ ଓ ଅଳ୍ପ ପରିମାଣର ସିମେଣ୍ଟ । ଗାତ ଖୋଳି ଏହି ନନ୍ଦକୁ ସେଇ ଗାତ ଭିତରେ ପୋତି ଦିଆଯାଉଛି । ଚାଷି ମାନଙ୍କ ଏଭଳି ଉଦ୍ୟମ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ସିନ୍ଧିପଙ୍ଗା ଗାଁରେ । ଏହି ଗ୍ରାମରେ ଚାଷ ପାଇଁ ଦୀର୍ଘ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଥିବାବେଳେ ଲୋକେ କେବଳ ବର୍ଷା ଜଳକୁ ହିଁ ଅପେକ୍ଷା କରୁଥିଲେ । ଗାଁ ପାଖରେ ନଦୀ କିମ୍ବା ନାଳ ନଥିବା ଯୋଗୁଁ ଭଲରେ ଚାଷ କାର୍ଯ୍ୟ ହୋଇପାରୁନଥିଲା । ହେଲେ ଏବେ ଚାଷିଙ୍କ ଜଳ କଷ୍ଟ ଦୂର ହୋଇଛି । ୟୁ୍ୟଟୁବ ଭିଡିଓରୁ ତିଆରି ହୋଇଛି ବାଉଁଶ କୂଅ । ଚାଷ ଜମିର ଏକ ସ୍ଥାନରେ ଚାଷିମାନେ ପ୍ରାୟ ୧୭ ଫୁଟ ଗାତ ଖୋଳି ସେଠାରେ ବାଉଁଶର ନନ୍ଦ ପକାଇଛନ୍ତି । ଗୋଟିଏ ନନ୍ଦର ଓସାର ୮ ଫୁଟ ଓ ଲମ୍ବ ଦେଢରୁ ଦୁଇ ଫୁଟ ରହିଛି । ନନ୍ଦରେ ଉଇ ପୋକ ନଲାଗିବାକୁ ନିମ ତେଲ ଓ ନିମ ପଡିଆ ଲଗାଯାଇଥାଏ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ହର୍ଷ ଟ୍ରଷ୍ଟର ଉଦ୍ୟମରେ ତିଆରି ହୋଇଛି ଏହି ବାଉଁଶ ତିଆରି ନନ୍ଦ କୂଅ । କୂଅର ସ୍ଥାୟିତ୍ୱ ନେଇ ପ୍ରଥମେ ଇଂଜିନିୟରଙ୍କ ପରାମର୍ଶ ନିଆଯାଇଥିଲା । ପରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା କୂଅ । ସିମେଣ୍ଟ କୂଅ ପାଇଁ ପାଖାପାଖି ୭୦ରୁ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । କିନ୍ତୁ ଏହି ବାଉଁଶରେ ତିଆରି କୂଅ ପାଇଁ ଖର୍ଚ୍ଚ ହେଉଛି ପାଖାପାଖି ୩୦ ହଜାର ଟଙ୍କା । ରାଜ୍ୟରେ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ବାଉଁଶ କୂଅ ତିଆରି ହୋଇଛି । ଆଉ ସ୍ୱଳ୍ପ ଖର୍ଚ୍ଚରେ ତିଆରି ହୋଇଥିବା ଏହି କୂଅ ଚାଷୀ ମାନଙ୍କ ପାଇଁ ସହାୟକ ହୋଇପାରିବ ବୋଲି କୁହାଯାଇଛି ।
(ରାୟଗଡାରୁ ସ୍ମୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ )

LEAVE A REPLY

Please enter your comment!
Please enter your name here