ଆଉ କିଛି ଦିନ ପରେ ପୁରୀରେ ଆରମ୍ଭ ହେବ ରଥଯାତ୍ରା । ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତେ ଆନନ୍ଦ ଉଲ୍ଲାସରେ ଥିବାବେଳେ ପୁରୀବାସୀଙ୍କ ମନ ଯେମିତି ମଉଳିଯାଇଛି । ସଞ୍ଜ ନଇଁଲେ ମାଡି ଆସୁଛି ଅନ୍ଧାର ଆଉ ଦିପହରରେ ଅସହ୍ୟ ଗୁଳୁଗୁଳି । ଫନିକୁ ଆଉ କିଛିଦିନ ପରେ ୨ମାସ ପୁରିଯିବ । କିନ୍ତୁ ପୁରୀ ଜିଲ୍ଲା ନିମାପଡା ବ୍ଲକର  ବଳଙ୍ଗା, ସାଇଁସ ଅଞ୍ଚଳର ଶତାଧିକ ଗାଁକୁ ବିଜୁଳି ଆସିନି । ଗୁଳୁଗୁଳି ସମ୍ଭାଳି ନପାରି କିଏ ନିଜ ଦାଣ୍ଡ ପିଣ୍ଡାରେ ଗାମୁଛା ଖଣ୍ଡେ ବିଞ୍ଚିବିଞ୍ଚି ଜୀବନ କାଟୁଛି ତ ଆଉ କିଏ ବିଞ୍ଚଣା ବୁଲାଉଛି । କେଉଁଠି ଟ୍ରାନ୍ସଫର୍ମର ଅଛି ତ କେଉଁଠି ତାର ସବୁ ଛିଣ୍ଡି ରାସ୍ତାରେ ପଡିଛି । ଆଉ କେଉଁଠି ମନ୍ଥର ଗତିରେ ବିଦୁ୍ୟତ ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଛି । ବିଦୁ୍ୟତ ନଆସିବାରୁ ରାତିରେ ପାଠ ପଢାରେ ଡୋରି ପକାଇଦେଇଛନ୍ତି ପିଲାଏ । ଗାଁର ଲୋକମାନେ ପିଇବା ପାଣି ଟୋପାଏ ପାଇଁ ମଧ୍ୟ କଲବଲ ହେଉଛନ୍ତି । ଅନ୍ୟପଟେ ବିଦୁ୍ୟତ୍ କର୍ମଚାରୀ ଅଭାବରୁ ଗାଁଲୋକେ ନିଜେ ନିଜେ ବିଦୁ୍ୟତ୍ କାମ କରୁଛନ୍ତି । ଏସମ୍ପର୍କରେ ନିମାପଡା ବିଡିଓ କହିଛନ୍ତି ଯେ, ବ୍ଲକରେ ପ୍ରାୟ ୯୫ ଭାଗ କାମ ସରିଲାଣି ଆଉ ଗୋଟେ ସପ୍ତାହ ମଧ୍ୟରେ ବାକି ଥିବା କାମ ସରିଯିବ । ପୁରୀରେ ବିଦ୍ୟୁତ ସେବା ପ୍ରସଙ୍ଗକୁ ନେଇ ବିଧାନସଭାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଉଦବେଗ ପ୍ରକାଶ କରିଛନ୍ତି । ରଥଯାତ୍ରା ପୂର୍ବରୁ ଗାଁଗହଳିକୁ ବିଦ୍ୟୁତ ସଂଯୋଗ ଦେବାକୁ ସେ ଦାବି କରିଛନ୍ତି । ଫନି ବିଧାରେ ଭାଙ୍ଗିପଡିଥିବା ପୁରୀ ଜିଲ୍ଲାବାସୀଙ୍କ ଅଣ୍ଟା କେବେ ସଳଖିବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here