ଜୁଲାଇ ୨୦ ରେ ହେବ ବହୁପ୍ରତିକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ କଡାଟକ୍କର ହେଉଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ । ନିର୍ବାଚନକୁ ନେଇ କଂଗ୍ରେସ ଭବନରେ ମଙ୍ଗଳବାର ଦିନ ବସିଥିଲା କୋର୍ କମିଟି ବୈଠକ । ଏହି ବୈଠକରେ ନିର୍ବାଚନ ପାଇଁ ରଣନୀତି ଏବଂ ପରିଚାଳନା ନେଇ ଆଲୋଚନା ହୋଇଥିଲା । ଚଳିତ ନିର୍ବାଚନରେ ବହୁ ପଛରେ ପଡିଯାଇଥିଲା କଂଗ୍ରେସ । ୧୪୬ ଟି ବିଧାନସଭା ଆସନରୁ ୯ ଟି ବିଧାନସଭା ଏବଂ ୨୧ ଲୋକସଭା ଆସନରୁ ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲା । ବର୍ତ୍ତମାନ ପାଟକୁରା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଜୋରସର୍ ପ୍ରସ୍ତୁତି ଚଳାଇଥିବା ବେଳେ କଂଗ୍ରେସ ବୈଠକ କରି ଏବେ ତାର ପ୍ରସ୍ତୁତି ପର୍ବ ଆରମ୍ଭ କରୁଛି । ଏଠାରେ ସୂଚନାଯୋଗ୍ୟ ପାଟକୁରାର ବିଜେଡି ପାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ଏପ୍ରିଲ ୨୯ରେ ହେବାକୁ ଥିବା ପାଟକୁରା ନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ବିଜେଡି ବେଦପ୍ରକାଶଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ଏବଂ ନିର୍ବାଚନ କମିଶନ ଶେଷ ପର୍ଯ୍ୟାୟରେ ଅର୍ଥାତ ମେ ୧୯ରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ କିନ୍ତୁ ସାମୁଦ୍ରିକ ଝଡ ଫନି ପାଇଁ ପୁଣି ଥରେ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ପାଟକୁରାରେ ବିଜୟ ପାଇଁ ବିଜେଡି ପୁରା ଶକ୍ତି ଲଗାଇ ଦେଇଛି । କାରଣ ପାଟକୁରାରେ ବିଜୟ ବିଜେଡି ପାଇଁ ସମ୍ମାନର ବିଜୟ । ପାଟକୁରାରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ ବିଜେଡି ହାତ ଛାଡିବା ପରଠୁ କେବେ ବିଧାନସଭା ମାଟି ମାଡି ପାରିନାହାନ୍ତି । ଏଣୁ ଏଥରବି ତାଙ୍କୁ ପରାଜିତ କରିବାକୁ ବିଜେଡି ଗୋଟି ଚଳାଇଛି । ପାଟକୁରା ନିର୍ବାଚନ ପାଇଁ ଦଳର ପୁରୁଖା ଏବଂ ପ୍ରଭାବୀ ଯୁବ ସଂଗଠକଙ୍କୁ ଦାୟିତ୍ୱ ଦେଇଛି । ପାଟକୁରାବାସୀଙ୍କ ଆଗରେ ପ୍ରଶ୍ନ, ସେମାନେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବେ, ନା ଗତ ଦୁଇ ଦଶନ୍ଧି ଧରି ନିର୍ବାଚନ ଜିତି ପାରୁନଥିବା ବିଜୟ ମହାପାତ୍ରଙ୍କୁ ଭୋଟ ଦେବେ ।