ଆଜି ପବିତ୍ର ବାହୁଡା ଯାତ୍ରା । ବଡ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ସାଙ୍ଗରେ ଧରି ମାଉସୀ ଘରୁ ବଡ ଦେଉଳକୁ ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ୯ ଦିନ ଧରି ଫାଙ୍କା ପଡିଥିବା ଶ୍ରୀ ମନ୍ଦୀରର ରତ୍ନ ସିଂହାସନକୁ ଫେରିବେ ମହାବାହୁ । ମାଉସୀ ଘରେ ଲିଳାଖେଳାସାରି ଫେରୁଥିବା କାଳିଆ ସାଆନ୍ତକୁ ଦର୍ଶନ ପାଇଁ ଆଖିରେ ଆଖିଏ ସ୍ୱପ୍ନ ନେଇ ଚାହିଁରହିଛି ଭକ୍ତ । ଅନ୍ୟପଟେ ଶ୍ରୀ ଜୀୟୁଙ୍କ ବାହୁଡା ପାଇଁ ସଅଳ ନିତୀକାନ୍ତି ସରିଛି । ଭୋର ୪ଟାରୁ ମଙ୍ଗଳ ଆଳତି ଓ ଭୋର ୫ ଟାରେ ଅବକାଶ ନୀତି ଶେଷ ହୋଇଥିଲା । ସୂର୍ଯ୍ୟ ପୂଜା,ଦ୍ୱାରପାଳ ପୂଜାପରେ ସକାଳ ୬ଟା ୪୫ ସୁଦ୍ଧା ସକାଳ ଧୂପ ଲାଗି, ସକାଳ ୭.୧୧ରେ ସେନାପଟା ଲାଗି ହୋଇଥିଲା । ନିର୍ଘଣ୍ଟ ସମୟରୁ ବହୁ ପୂର୍ବରୁ ଆରମ୍ଭ ହୋଇ ଯାଇଛି ପହଣ୍ଡି ବିଜେ ।ପୂର୍ବରୁ ଦିନ ୧୨ଟାରେ ପହଣ୍ଡି ହେବ ବୋଲି ସୂଚନାଥିଲା । କିନ୍ତୁ ସକାଳ ସାଢେ ୯ ରେ ପହଣ୍ଡି ଆରମ୍ଭ ହୋଇ ଯାଇଥିଲା । ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଛି । ଏହା ପରେ ମହାପ୍ରଭୁ ବଳଭଦ୍ର , ମା ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଛି । ବାହୁଡା ଯାତ୍ରା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି । ଭକ୍ତଙ୍କ ସୁରକ୍ଷା ଏବଂ ବାହୁଡା ଯାତ୍ରାକୁ ସୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରସାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଛି । ପୂର୍ବରୁ ରଥ ଯାତ୍ରା ବେଳେ ବଡ ଦାଣ୍ଡର ଭିଡକୁ ଚିରି ଏକ ଆମ୍ବୁଲାନ୍ସ ଯିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ୍ ପ୍ରସାସନର ବ୍ୟବସ୍ତାକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here