ଯୁଗ ବଦଳିବା ସହିତ ସମୟ ବି ବଦଳି ଥାଏ । ଆଉ ସମୟ ବଦଳିବା ସହିତ ମଣିଷର ଭାଗ୍ୟ ବି ବଦଳିଥାଏ । ଆଉ ଏହି ଭାଗ୍ୟଚକ୍ର କେତେବେଳେ ରାଜଗାଦିରେ ବସାଏ ତ ପୁଣି କେତେବେଳେ ଜେଲର ଚାରି କାନ୍ଥ ଭିତରେ । ତାହା ଦେଖିବାକୁ ମିଳିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପାଖରେ । ସେ କାଲି ଥିଲେ ଗୃହମନ୍ତ୍ରୀ ଆଉ ଆଜି ଜେଲ ଭୟରେ ପ୍ରକମ୍ପିତ । ରାଜନୀତିରେ ଘଡିକେ ଘୋଡା ଛୁଟିବା ସହିତ ତାର ଦୃଶ୍ୟପଟ ମଧ୍ୟ ବଦଳୁଥାଏ । କାଲି ଯିଏ ଜେଲ ଗୃହରେ ଥିଲେ ଆଜି ସେ ବସିଛନ୍ତି ରାଜଗାଦିରେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜ ରାଜନୀତିରେ । ଏଠାରେ କଥା ଉଠିଛି ବର୍ତମାନର ଗୃହମନ୍ତ୍ରୀ ଅମିତ ଶାହଙ୍କ କଥା । ଯେତେବେଳେ ଚିଦାମ୍ବରମ ଗୃହମନ୍ତ୍ରୀ ଥିଲେ ସେତେବେଳେ ଅମିତ ଶାହଙ୍କୁ ଜେଲ ଯିବାକୁ ପଡିଥିଲା । ହେଲେ ଆଜି ଠିକ ତାହା ଓଲଟି ଯାଇଛି । ଯେତେବେଳେ ଚିଦାମ୍ବରମ ଗୃହମନ୍ତ୍ରୀ ଥିଲେ ସେତେବେଳେ ଅମିତ ଶାହ ଶାରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଗିରଫ ହୋଇଥିଲେ । ହେଲେ ଏବେ ସମୟର ପରିବର୍ତନକୁ ଦେଖନ୍ତୁ । ଆଜି ଦେଶର ଗୃହମନ୍ତ୍ରୀ ହେଉଛନ୍ତି ଅମିତ ଶାହ ଆଉ ସିବିଆଇ, ଇଡି ଆଇଏଏନଏକ୍ସ ଦୁର୍ନିତି ମାମଲାରେ ଚିଦାମ୍ବରମଙ୍କୁ ଜେଲରେ ଭର୍ତ୍ତି କରିବାର ପ୍ରସ୍ତୁତି ଚାଲିଛି । ଏହି ଦୁର୍ନିତି ମାମଲାରେ ତାଙ୍କୁ ଗିରଫ କରିବାକୁ ଖୋଜୁଥିବା ବେଳେ, ସେ ସମସ୍ତଙ୍କ ଆଖିରେ ଲୁଚକାଳି ଖେଳ ଖେଳୁଥିଲେ । ଏବେ ଧରାପଡିଯାଇ ଚିଦାମ୍ବରମ ସୁପ୍ରିକକୋର୍ଟଙ୍କ ଶରଣରେ ଅଛନ୍ତି । ଯେତେବେଳେ ଅମିତ ଶାହ ଗିରଫ ହୋଇଥିଲେ ସେତେବେଳେ ବିଜେପି ଏହା ଏକ ଉଦେ୍ଦଶ୍ୟମୂଳକ ଟାର୍ଗେଟ ବୋଲି ଅଭିଯୋଗ କରିଥିଲେ । ଆଉ ଏବେ କଂଗ୍ରେସ ମଧ୍ୟ ବିଜେପି ନାଁରେ ସମାନ ଅଭିଯୋଗ ଆଣିଛି । ଏବେ ଏହି ଚିଦାମ୍ବରମଙ୍କ ମାମଲା କେଉଁ ମୋଡ ନେବ ତାହାତ ସମୟ କହିବ ।