ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଇଏ କୌଣସି ଷ୍ଟଣ୍ଟ ସୋ ର ଦୃଶ୍ୟ ନୁହେଁ କି କୌଣସି ଦୁଃସାହସିକ କ୍ରୀଡା ନୁହେଁ । ଏହା ହେଉଛି ମାଲକାନଗିରି ଜିଲ୍ଲାର ଦୃଶ୍ୟ । ନଇପାରି ହେବା ପାଇଁ ପ୍ରସ୍ତୁତ ହେଉଥିବା ଏହି ବ୍ୟକ୍ତିମାନେ ହେଉଛନ୍ତି ଶିକ୍ଷକ । ଅଣ୍ଟାରେ ଲାଉତୁମ୍ବା ବାନ୍ଧି ଏମାନେ ନଇପାରି ହେଉଛନ୍ତି । ଶିକ୍ଷକତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଶିକ୍ଷକ । ଖାଲି ନଇ ପାରି ହୋଇଗଲେ ଏମାନେ ସ୍କୁଲରେ ପହଁଚନ୍ତିନି, ସ୍କୁଲରେ ପହଞ୍ଚିବାକୁ ହେଲେ ନଇ ପାରିହେବା ପରେ ଏମାନଙ୍କୁ ପାହାଡ ବି ଚଢିବାକୁ ପଡେ । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଥିବା ଢାକଡପଦର ଗାଁର ଇଏ ହେଉଛି ମାଲକାନଗିରି ଭଳି ଦୁର୍ଗମ ଅଂଚଳରେ ଶିକ୍ଷାଦାନର ଚିତ୍ର
ନଇପାରି ହୋଇ ଓ ପାହାଡ ଚଢି ପିଲାଙ୍କୁ ପାଠ ପଢାଇବାକୁ ଯାଉଥିବା ଏମାନେ ହେଲେ ଅଣ୍ଡରାପାଲି ପଞ୍ଚାୟତର ସିଆରଶିଶି ଉମାକାନ୍ତ ଦାସ, ଢାକଡପଦର ଗାଁ ସ୍କୁଲର ଶିକ୍ଷକ ସନ୍ନ୍ୟାସୀ ପାତ୍ର ଓ ଶିକ୍ଷକ କୋଡେ ମଙ୍ଗୁଲୁ । ପାଠ ପଢାଇବାକୁ ଯିବା ବେଳେ ଏମାନଙ୍କୁ ଅନେକ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କୁ ବି ସାମନା କରିବାକୁ ହୁଏ । ଢାକଡପଦର ଯିବାକୁ ହେଲେ ପ୍ରଥମେ ଲଞ୍ଚ ଯୋଗେ ୬୧ କିଲୋମିଟର ବାଟ ଯିବାକୁ ପଡିଥାଏ । ଲଞ୍ଚରେ ପହଞ୍ଚିବା ପରେ ଏସବୁ ଦୁର୍ଗମ ଅଞ୍ଚଳ ଚାଲି ଚାଲି ଏବଂ ପାଣିରେ ପହଁରି ଅତିକ୍ରମ କରିବାକୁ ହୋଇଥାଏ । ନିଜର ପ୍ୟାଣ୍ଟସାର୍ଟ ବ୍ୟାଗରେ ରଖି ଲୁଙ୍ଗି ଗାମୁଛା ପିନ୍ଧି ଏସବୁ ରାସ୍ତା ସେମାନେ ଅତିକ୍ରମ କରିଥାନ୍ତି । ଭରା ନଇ ପାରିହେବା ବେଳେ ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ସେମାନେ ଅଣ୍ଟାରେ ଲାଉତୁମ୍ବା ବାନ୍ଧିଥାନ୍ତି । କେତେବେଳେ କୋଉ ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ ବି ଥାଏ । ଏସବୁ ସତ୍ତ୍ବେ ସେମାନେ ନିଜର ବୃତ୍ତି ପାଇଁ ପ୍ରତିଦିନ ଏମିତି ଦୁଃସାହସିକ କାର‌୍ୟ୍ୟ କରିଥାନ୍ତି । ଏମିତି ଦୁର୍ଗମ ଅଂଚଳରେ ଶିକ୍ଷାଦାନ କିଭଳି ସହଜ ହୋଇପାରିବ, ତାହା ପ୍ରଶାସନ ଚିନ୍ତା କରିବା ଦରକାର । ମାତ୍ର ଆଜିର ଦିନରେ ଅତି ବିପଦସଙ୍କୁଳ ରାସ୍ତାରେ ଯାଇ ଶିକ୍ଷକତା କରୁଥିବା ଶିକ୍ଷକଙ୍କୁ ଆମେ ସାଲ୍ୟୁଟ ନ କରି ରହିପାରୁନୁ ।

LEAVE A REPLY

Please enter your comment!
Please enter your name here