ଗତ ୧୫ ତାରିଖରୁ ମଣ୍ଡି ଖୋଲିଥିଲେ ବି ଚାଷୀଙ୍କଠୁ ଧାନ କିଣାଯାଇପାରିନି. ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ଅଭିଯୋଗ କରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି. ସମ୍ବଲପୁର, ବରଗଡ ପ୍ରଭୃତି ଅଞ୍ଚଳରେ ଚାଷୀମାନଙ୍କ ଆନ୍ଦୋଳନ ତାବ୍ର ହେବାରେ ଲାଗିଛି. ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି କରି ଚାଷୀମାନେ ଆଜି ବାରଘଣ୍ଟିଆ ବନ୍ଦ ପାଳନ କରିଛନ୍ତି. ବରଗଡ ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ବ୍ୟବସାୟୀ ସଂଘ ସମର୍ଥନ କରିବା ଫଳରେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି. ବରଗଡରେ ଚାଷୀମାନେ ତହସିଲ ଅଫିସରେ ତାଲା ପକାଇ ଦେଇଥିଲେ. ଟୋକନ ବ୍ୟବସ୍ଥାରେ ଧାନ କିଣିବା ପାଇଁ ଚାଷୀମାନଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଆଲୋଚନା କରିଥିଲେ ମଧ୍ୟ ଚାଷୀମାନେ ତାହାକୁ ଗ୍ରହଣ କରିନାହାଁନ୍ତି. ଅନ୍ୟପଟରେ ସରକାର ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରିନାହାନ୍ତି ଏବଂ ଟୋକନ ବ୍ୟବସ୍ଥାରେ ହିଁ ଧାନ କିଣାଯିବ ବୋଲି ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି.