ପୁରା ବାଣୀବିହାର ଥିଲା ଲୋକାରଣ୍ୟ. ବିଶ୍ବବିଦ୍ୟାଳୟର ପରିଜା ଲାଇବ୍ରେରୀ ଛାତ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣେ ବ୍ୟକ୍ତି. ଦଶମହଲା କୋଠା ଉପରୁ ଜଣେ ବ୍ୟକ୍ତିଙ୍କ ପାଗଳାମି ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲା. ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ. ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ମାଧ୍ୟମରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ. ଅପରେସନରେ ଭାଗ ନେଇଥିଲେ ପଚାଶ ଜଣ କର୍ମଚାରୀ. କାଳେ ଅପରେସନ ସମୟରେ କିଛି ଅଘଟଣ ଘଟିବ, ସେଥିପାଇଁ ତଳେ ଜାଲ ବନ୍ଧାଗଲା. ମାତ୍ର ଛାତ ଉପରୁ ଓହ୍ଲାଇବାକୁ ପ୍ରସ୍ତୁତ ନଥିଲେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି. ଘଣ୍ଟା ଘଣ୍ଟା ଧରି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଥିଲେ. ଅଗ୍ନିଶମ କର୍ମଚାରୀଙ୍କଠୁ ପାଣି ବୋତଲ ନେଇଥିଲେ ସଂପୃକ୍ତ ବ୍ୟକ୍ତି. ଅଗ୍ନିଶମ ବାହିନୀକୁ ସହଯୋଗ କରୁ ନଥିବା ଏହି ବ୍ୟକ୍ତି କାଳେ କିଛି ପାଗଳାମି କରିବ, ସେଇ ଆଶଙ୍କା ଘାରିଥିଲା ଉଦ୍ଧାରକାରୀ ଦଳଙ୍କୁ. ତେବେ ଦୀର୍ଘ ସମୟର ଏହି ଅପରେସନ ଶେଷରେ ସଫଳ ହୋଇଥିଲା. ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ସ୍କାଏ ଲିଫ୍ଟ ଦ୍ବାରା ଉଦ୍ଧାର କରାଯାଇଥିଲା. ଉଦ୍ଧାର ହୋଇଥିବା ବ୍ୟକ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁ ର ସୁବୋଧ ବାରିକ ବୋଲି ଜଣାପଡିଛି. ସେ ପୋଷ୍ଟାଲରେ କାମ କରୁଥିଲେ ଏବଂ ତାଙ୍କୁ କୌଣସି କାରଣରୁ ଚାକିରୀରୁ ବାହାର କରାଯିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ. ଏପରିକି ସେ ଗତ କିଛିଦିନ ଧରି ନିଖୋଜ ଥିବା ସଂପର୍କରେ ତାଙ୍କ ଘରଲୋକେ ଥାନାରେ ଏତଲା ଦେଇଥିଲେ.

LEAVE A REPLY

Please enter your comment!
Please enter your name here