ନବରଙ୍ଗପୁର ଜିଲ୍ଲା ବନ୍ଦପାଳନ ବେଳେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ଉତେଜକପୂର୍ଣ୍ଣ ବୟାନ । ଫୋନରେ କର୍ମୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ଡିଜେଲ, ପେଟ୍ରୋଲ ପ୍ରସ୍ତୁତ ରଖ । ନିର୍ଦ୍ଦେଶ ଯିବାମାତ୍ରେ ନିଆଁ ଲଗାଇଦେବ । ପରେ ଯାହା ହେବ ଦେଖାଯିବ । ଆଜି ଏଭଳି ଢଙ୍ଗରେ କଂଗ୍ରେସ କର୍ମୀଙ୍କୁ ଉସକାଇଛନ୍ତି ପ୍ରଦୀପ ମାଝି । ପୋଷାଗୁମୁଡା ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସ ନବରଙ୍ଗପୁରରେ ବନ୍ଦ ପାଳନ କରିଛି । କେବଳ ନବରଙ୍ଗପୁର ନୁହେଁ, ସାରା ରାଜ୍ୟରେ ଦୁଷ୍କର୍ମ ଘଟଣା ଯେପରି ଭାବେ ବଢି ଚାଲିଛି, ସରକାର ଉପରେ ଆଉ ଭରସା କରିବା ସମ୍ଭବ ନୁହେଁ ବୋଲି ପ୍ରଦୀପ କହିଛନ୍ତି । ନବରଙ୍ଗପୁର ଗଣଦୁଷ୍କର୍ମ ଘଟଣାରେ ଦୋଷୀକୁ ଏଯାଏଁ ଗିରଫ କରାଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏଭଳି ଘଟଣାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ପ୍ରଦୀପ କହିଛନ୍ତି, ଆଉ ଗାନ୍ଧୀଗିରି ଚଳିବନି । ଶାନ୍ତିପୂର୍ଣ୍ଣ ଭାବେ ନହେଲେ ଅଶାନ୍ତିର ବାଟ ଆପଣାଇବାକୁ ପଡିବ । ସେଥିପାଇଁ ସରକାର ଦାୟୀ ରହିବେ । ଖାଲି କଥାରେ ନୁହେଁ, କାମରେ ବି କରି ଦେଖାଇଛନ୍ତି ପ୍ରଦୀପ । ମୋବାଇଲ ଫୋନରେ କର୍ମୀମାନଙ୍କୁ ସେ ଯେଉଁଭଳି ଢଙ୍ଗରେ ହିଂସାକାଣ୍ଡ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରୁ ପୂର୍ବତନ ସାଂସଦଙ୍କ ମନରେ ଥିବା କ୍ରୋଧ ସ୍ପଷ୍ଟ ବାରି ହୋଇ ପଡୁଛି । ପ୍ରଦୀପ ମାଝୀଙ୍କ ଏମିତି ମୋବାଇଲ ନିର୍ଦ୍ଦେଶକୁ ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଥିବା ବେଳେ କେହି ଦୁର୍ବୃତ ଗୋଟିଏ କାରରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here