ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ୭୦ ତୀର୍ଥଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଟୁରିଷ୍ଟ୍‌ ବସ୍‌ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ତେବେ ବସ୍ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଛନ୍ତି।

ସୂଚନା ଅନୁସାରେ, ଟୁରିଷ୍ଟ୍‌ ବସ୍‌ଟି ଆଜି ବାରିପଦାରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଡଗରା ସମୁଦ୍ର କୂଳ ଅଭିମୁଖେ ଯାଉଥିଲା। ତେବେ ସମୁଦ୍ର କୂଳରେ ପହଞ୍ଚିବାର ୧ କି.ମି. ପୂର୍ବରୁ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା ବସ୍। ଡ୍ରାଇଭର କରେଣ୍ଟ ଝଟ୍‌କା ଖାଇବା ସତ୍ତ୍ୱେ ବସ୍‌କୁ ପଛକୁ ଆଣି ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଯଦିଓ ଏକ ବଡ଼ ଧରଣର ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି, କିନ୍ତୁ ବସରେ ଥିବା ଜଣେ ଯାତ୍ରୀ ଗୁରୁତର ଅଛନ୍ତି। ତାଙ୍କୁ ସ୍ଥାନୀୟ ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବସ୍‌ଟି ବ୍ୟାକ୍ କଲା ବେଳେ ପଛରେ ଥିବା ଜଣେ ବାଇକ୍ ଚାଳକ ଚାପି ହୋଇ ଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ, ବାଇକ୍ ଚାଳକଙ୍କୁ କୌଣସି ଆଘାତ ଲାଗିନଥିଲା। ତାଙ୍କୁ ବସ୍ ଚକା ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here