ଭୁବନେଶ୍ୱର : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଟିଡିସି ବିଭିନ୍ନ ପ୍ରକାର ପ୍ୟାକେଜ ଘୋଷଣା କରୁଛି I ଗତବର୍ଷ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ୍ୱେଡିଙ୍ଗ ପ୍ୟାକେଜ ଲଞ୍ଚ କରିଥିଲା I ଏବେ ରାଜ୍ୟ ପର୍ଯ୍ୟଟକଙ୍କ ପାଇଁ ଆଣିଛି ବିଦେଶ ବୁଲିଯିବାର ସୁଯୋଗ I ଅନେକ ବିଦେଶ ଯାତ୍ରା ପାଇଁ ସ୍ୱପ୍ନ ଦେଖିଥାନ୍ତି I କିନ୍ତୁ ତାକୁ କୌଣସି କାରଣରୁ ସାକାର କରିପାରି ନ ଥାନ୍ତି I ଚିନ୍ତା ନାହିଁ ଏବେ ଓଟିଡିସି ସୁଲଭ ମୂଲ୍ୟରେ ବିଦେଶ ଯାତ୍ରାର ସୁଯୋଗ ଦେବ I ଏଥିପାଇଁ ଓଟିଡିସି ଲଞ୍ଚ କରିଛି ‘ଗୋ ଗ୍ଲୋବାଲ’ ପ୍ୟାକେଜ Iଏଥିପାଇଁ 8କୋଟିର ପ୍ୟାକେଜ ଘୋଷଣା ହୋଇଛି I ଏନେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି I ଓଟିଡିସିର ଏହି ନୂଆ ଟୁର ପ୍ୟାକେଜରେ ବିଦେଶର 5ଟି ସ୍ଥାନକୁ ବୁଲିଯିବାର ବ୍ୟବସ୍ଥା ରହିଛି I ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଦୁବାଇ I ଥାଇଲାଣ୍ଡ ଟୁରରେ 3ରାତି 4ଦିନ ପ୍ୟାକେଜ ନେଇ ପାରିବେ ଏଥିପାଇଁ ବ୍ୟକ୍ତିଙ୍କ ପିଛା 24ହଜାର 990ଟଙ୍କା ରହିଛି, ମାଲେସିଆ ଟୁରରେ 3ରାତି 4ଦିନ ପାଇଁ ବ୍ୟକ୍ତିଙ୍କ ପିଛା 29ହଜାର 990ଟଙ୍କା, ସିଙ୍ଗାପୁର ଟୁରରେ 3ରାତି 4ଦିନ ପାଇଁ ବ୍ୟକ୍ତିଙ୍କ ପିଛା ଦର 39ହଜାର 990ଟଙ୍କା, ଇଣ୍ଡୋନେସିଆ ଟୁରରେ 4ରାତି 5ଦିନ ପାଇଁ ବ୍ୟକ୍ତିଙ୍କ ପିଛା 34ହଜାର 990ଟଙ୍କା ଏବଂ ଦୁବାଇ ଟୁରରେ 4ରାତି 5ଦିନ ପାଇଁ ବ୍ୟକ୍ତିଙ୍କ ପିଛା 53ହଜାର 990ଟଙ୍କା ରହିଛି I ଏହି ପ୍ୟାକେଜ ମଧ୍ୟରେ ବ୍ୟକ୍ତିର ଉଡାଜାହାଜରେ ଭ୍ରମଣ ଖର୍ଚ୍ଚ, ଭିସା, ଟ୍ରାଭେଲ ବିମା, ତିନି ତାରକା ହୋଟେଲ ରହଣି ବ୍ୟବସ୍ଥା, ଜଳଖିଆ,ରାତ୍ରି ଭୋଜନ, ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଯାତାୟତ ବ୍ୟବସ୍ଥା ରହିବ I ଯେଉଁମାନେ ବୁକିଂ କରି କୌଣସି କାରଣରୁ ଯାଇପାରିବେନି ସେମାନଙ୍କୁ ଅର୍ଥ ଫେରାଇ ଦେବାର ସରଳ ସୁବିଧା କରାଯିବ ବୋଲି ଓଟିଡିସିର ଡିଭିଜନାଲ ମ୍ୟାନେଜର ପି. କେ ଚାନ୍ଦ କହିଛନ୍ତି I

LEAVE A REPLY

Please enter your comment!
Please enter your name here