କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଜାରି ହୋଇଛି ଲକ୍‌ଡାଉନ୍‌ । ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଭୋକିଲା ପେଟରେ ଆଉ ପାଉଟ ହେଉଥିବା ପ୍ରବାସୀ ଶ୍ରମିକମାନେ ମଶାଣିରେ ପଡ଼ି ଖରାରେ ଶଢ଼ି ଯାଇଥିବା କଦଳୀ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀର ଯମୁନା ନଦୀ କୂଳରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ପ୍ରବାସୀ ଶ୍ରମିକମାନେ ଖାଇବାକୁ ନ ପାଇ ଏପରି କରୁଥିବା କ୍ୟାମେରାରେ କଏଦ ହୋଇଛି । ଦିଲ୍ଲୀର ନିଗମ ବୌଦ୍ଧ ଘାଟର ଯମୁନା କୂଳରେ ଥିବା ମଶାଣିରେ ପଚି ଯାଇଥିବାରୁ ଫୋପଡ଼ା ହୋଇଥିବା କଦଳୀ ଗଦା ମଧ୍ୟରୁ ଶ୍ରମିକମାନେ ସଂଘର୍ଷ କରି ଖାଦ୍ୟ ଅନ୍ୱେଷଣ କରୁଛନ୍ତି। ଦୀର୍ଘ ୭ ଦିନରୁ ଅଧିକ ସମୟ ହେଲାଣି ନିଗମବୌଦ୍ଧ ଘାଟରୁ ମଜୁନ ଯାଏ ଲମ୍ବିଥିବା ଯମୁନା କୂଳ ନିକଟ ଓଭର ବ୍ରିଜ୍‌ ତଳେ ହଜାର ହଜାର ଶ୍ରମିକ ଘରକୁ ନ ଯାଇ ପାରି ସେଠାରେ ପଡ଼ି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ନିକଟରେ ଥିବା ଗୋଟିଏ ଗୁରୁଦ୍ୱାର ଓଳିଏ ଖାଇବାକୁ ଦେଉଛି। ହେଲେ ଏଥିରେ ସମସ୍ତଙ୍କ ପେଟ ପୁରୁନାହିଁ। ଗୁରୁଦ୍ୱାର ବି ହଜାର ହଜାର ଶ୍ରମିକଙ୍କୁ ଖାଇବାକୁ ଦେବା ପାଇଁ ଅକ୍ଷମ। ତେଣୁ ଶ୍ରମିକମାନେ ଭୋକିଲା ପେଟରେ ରହୁଛନ୍ତି।

LEAVE A REPLY

Please enter your comment!
Please enter your name here