ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ଭୁଲିଗଲେ କି ସରକାର । ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡିଆ ଛାତ୍ରଛାତ୍ରୀ । କୋଟାରେ ଫସି ରହିଛନ୍ତି ପ୍ରାୟ ୧୨ ଶହରୁ ଅଧିକ ଓଡିଆ ପିଲା । ଏଣ୍ଟ୍ରାସଂ କୋଚିଂ ନେବାକୁ ଯାଇ ଲକ୍ ଡାଉନ୍‌ରେ ଫସି ଯାଇଛନ୍ତି ଓଡିଆ ପିଲା । ଫସି ଯାଇଥିବା ପିଲାଙ୍କୁ ଏବେ ଫେରାଇ ଆଣିବାକୁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି । ଭିଡିଓ ବାର୍ତ୍ତା ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଫସିଥିବା ଛାତ୍ରଛାତ୍ରୀ । କୋଟାରେ ଫସି ରହିଛନ୍ତି ରାୟଗଡା ଜିଲ୍ଲାର ୧୩ ଜଣ ଛାତ୍ରଛାତ୍ରୀ । ଏହି ୧୩ ଜଣ କୋଟାର ଲେଣ୍ଡମାର୍କ ସିଟିର ଖଣ୍ଡଲୱାଲ ରେଜିଡେନିସରେ ଦୀର୍ଘ ଦିନ ରହି ମେଡିକାଲ କୋଚିଂ ନେଉଥିଲେ । ତେବେ ଲକ୍ ଡାଉନ୍ ହେବାପରେ ଏମାନଙ୍କ ପାଠ ପଢା ବନ୍ଦ ହୋଇଯାଇଥିବାବେଳେ ନିୟମିତ ଭାବେ ଖାଇବାକୁ ପାଇପାରୁନାହାଁନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଅଭିଭାବକ । ବହୁ ଅଭିଭାବକ ଜିଲ୍ଲାପାଳଙ୍କୁ ଭେଟି ଫେରାଇ ଆଣିବାକୁ ନିବେଦକ କରିଛନ୍ତି । ସେହିପରି କୋଟାରେ ଫସିଥିବା ପିଲାଙ୍କୁ ଫେରାଇ ଆଣିବାକୁ ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । । କୋଟାରେ ଫସିଥିବା ଅନ୍ୟ ରାଜ୍ୟର ପିଲା ନିଜ ରାଜ୍ୟକୁ ଫେରିଗଲେଣି । ୟୁପି, ଛତିଶଗଡ ସରକାର ବସ ଯୋଗେ ପିଲାଙ୍କୁ ଫେରେଇନେଲେଣି । ତେବେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ସମସ୍ତ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here