ଲଦାଖ ସୀମାରେ ଆମ ସେନା ସଜାଗ ଅଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମ ସେନା ପ୍ରସ୍ତୁତ ରହିଛି । ଗତ ଅପ୍ରେଲ ମାସରୁ ସୀମାନ୍ତରେ ଚୀନ୍ ସେନା ଠୁଳ କରି ଆସୁଛି । ଭାରତୀୟ ସେନାର ପାଟ୍ରୋଲିଂକୁ ବାଧା ଦେଇ ଆସୁଛି । ତେବେ ବିଶ୍ୱର କୌଣସି ସେନା ଭାରତୀୟ ସେନାକୁ ପାଟ୍ରୋଲିଂରୁ ନିବୃତ୍ତ କରିପାରିବ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଲଏସିରେ ଭାରତୀୟ ସେନା ଧୈର୍ଯ୍ୟ ଓ ବୀରତାର ସହ ସ୍ଥିତି ମୁକାବିଲା କରୁଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ଲାଦାଖରେ ଚୀନ ୩୮ ହଜାର ବର୍ଗ କିଲୋମିଟର ଅଂଚଳ ବେଆଇନ ଭାବେ ଦଖଲ କରିଛି ଏବଂ ଲାଦାଖ ସମେତ ଅରୁଣାଚଳ ପ୍ରଦେଶ ସୀମାନ୍ତରେ ୯୦ ହଜାର ବର୍ଗ କିଲୋମିଟର ଭାରତୀୟ ଅଂଚଳକୁ ନିଜର ବୋଲି ଦାବି କରି ଆସୁଛି ।