ଆଖି ଥାଇ ବି ଆଖି ନାହିଁ । ହେଲେ କଣ୍ଠରୁ ଝରୁଛି ଜଗନ୍ନାଥଙ୍କ ଚମତ୍କାର ଜଣାଣ । ଜଗନ୍ନାଥଙ୍କ ଜଣାଣ ଗାଇବା ବେଳେ ଜଗା ପ୍ରେମରେ ଅଭିଭୂତ ହୋଇଯାଉଛନ୍ତି ସେ । ଜାତିରେ ମୁସଲମାନ ହେଲେ ବି ଜଗନ୍ନାଥଙ୍କ ପ୍ରତି ତାଙ୍କ ମନରେ ଅଗାଢ ପ୍ରେମ ଓ ଭକ୍ତି । ହାରମୋନିୟମଟେ ଧରି ବସିପଡିଲେ ସେ ଭାବବିହ୍ବଳ ହୋଇଯାନ୍ତି । ଆଉ ଗାଇବା ଆରମ୍ଭ କରନ୍ତି ଶ୍ରୀଜଗନ୍ନାଥଙ୍କ ଜଣାଣ । ସାମ୍ ଚାଚା ନାଁରେ ପରିଚିତ ଏହି କାଳିଆ ଭକ୍ତ ହେଉଛନ୍ତି, ଅବଦୁଲ ସମଦ୍ ନଜମୀ । ଘର କଟକ କିଶୋର ନଗର, ସାମନ୍ତରାପୁର ଅଂଚଳରେ । କବି, ଲେଖକ ଓ ବାଦ୍ୟକାର ଭାବେ ବେଶ୍ ଜଣାଶୁଣା ସାମ୍ ଚାଚା କିନ୍ତୁ ପୁରୁଣା ରେଡିଓ ସଜାଡିବାରେ ଖୁବ୍ ଦକ୍ଷ । ଝିଅ ଓ ପତ୍ନୀ ସହ ରହୁଥିବା ସାମ ଚାଚାଙ୍କ କଣ୍ଠରେ ଜଗନ୍ନାଥଙ୍କ ଭଜନ ଯିଏ ବି ଶୁଣିବ, ସିଏ ତଲ୍ଲୀନ ହୋଇଯିବ ।