ଗତ ରବିବାର ଦିନ ଉତ୍ତରାଖଣ୍ଡ ଚାମୋଲି ନିକଟରେ ହିମ ସ୍ଖଳନ ଘଟି ଦୁଇଟି ନଦୀରେ ଭୟଙ୍କର ବନ୍ୟା ଆସିବା ପଛରେ ରେଡିଓ ଆକ୍ଟିଭ ଡିଭାଇସ ଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ରାଇନି ଗ୍ରାମବାସୀଙ୍କ କହିବା କଥା, ଯେଉଁଭଳି ଭାବେ ଅଚାନକ ଅତଡା ଧସି ବନ୍ୟା ଆସିଲା, ତାହା ପଛରେ ରେଡିଓ ଆକ୍ଟିଭ ଡିଭାଇସ କାରଣ ହୋଇପାରେ । ଚାଇନା ଉପରେ ଗୁପ୍ତ ନଜର ରଖିବା ପାଇଁ 1965 ମସିହାରେ ସିଆଇଏ ଓ ଆଇବି ପକ୍ଷରୁ ଏକ ଟିମ୍ ନନ୍ଦାଦେବୀ ପର୍ବତ ଅଭିମୁଖେ ଯାତ୍ରା କରିଥିଲେ । ଉଦ୍ଦେଶ୍ୟ ଥିଲା, ପର୍ବତ ଶିଖରରେ ଏକ ନ୍ୟୁକ୍ଲିଅର ପାଓ୍ବାର ସର୍ଭେଲିଆନ୍ସ ଇକ୍ୟୁପମେଣ୍ଟ ସ୍ଥାପନ କରିବା । କାଞ୍ଚନଜଙ୍ଗା ପରେ ନନ୍ଦାଦେବୀ ହେଉଛି ଭାରତର ଦ୍ବିତୀୟ ଉଚ୍ଚତମ ଶୃଙ୍ଗ । ମାତ୍ର ସିଆଇଏ ଓ ଆଇବିର ଏହି ଟିମ୍ ଏହି ରେଡିଓ ଡିଭାଇସ ଠିକଣା ଭାବେ ସ୍ଥାପନ କରିବା ପୂର୍ବରୁ ବରଫ ଝଡର ସମ୍ମୁଖୀନ ହୋଇଥିଲେ । ଫଳରେ ଏହି ଟିମ୍ ଉକ୍ତ ଡିଭାଇସ ଛାଡି ଫେରିଆସିବାକୁ ବାଧ୍ୟ ହୋଇଥିଲେ । ବର୍ଷକ ପରେ ପୁଣିଥରେ ଏହି ଟିମ୍ ସେହି ସ୍ଥାନକୁ ଯାଇଥିଲେ ହେଁ ପର୍ବତ ଉପରୁ ଆଉ ସେ ଡିଭାଇସ ପାଇ ନଥିଲେ । ନନ୍ଦାଦେବୀ ଉପରେ ଛାଡି ଆସିଥିବା ଡିଭାଇସର ଆୟୁଷ ଶହେବର୍ଷ ବୋଲି କୁହାଯାଉଛି । ତେଣୁ ଗ୍ରାମବାସୀ ସନ୍ଦେହ କରୁଛନ୍ତି, ପର୍ବତ ଉପରେ ନିଖୋଜ ଥିବା ରେଡିଓ ଡିଭାଇସ ଯୋଗୁ ଅଚାନକ ବରଫ ଖଣ୍ଡ ତରଳି ଏଭଳି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଥାଇପାରେ । ରାଇନି ଗ୍ରାମବାସୀ କହିବା କଥା, ହିମସ୍ଖଳନ ଘଟି ବନ୍ୟା ଆସିବା ବେଳେ ଏକପ୍ରକାର ଦୁର୍ଗନ୍ଧ ଆସିଲା ଏବଂ କିଛି ସମୟ ପାଇଁ ସେମାନେ ଠିକରେ ନିଶ୍ବାସ ବି ନେଇ ପାରିଲେ ନାହିଁ । ତେଣୁ ଭବିଷ୍ୟତରେ ରେଡିଓ ଡିଭାଇସଜନିତ କିଛି ବଡଧରଣର ଅଘଟଣ ହେବା ପୂର୍ବରୁ ସରକାର ତାକୁ ଖୋଜି ବାହାର କରିବା ଦରକାର ।

LEAVE A REPLY

Please enter your comment!
Please enter your name here