ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ । ତେଣୁ ଅପରାହ୍ନ ସୁଦ୍ଧା ମଇଦାନରେ କେତେଜଣ ପ୍ରାର୍ଥୀ ରହିବେ ତାହା ସ୍ପଷ୍ଟ ହୋଇଯିବ । ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ପରେ ୩ ଜଣଙ୍କର ନାମାଙ୍କନକୁ ବାଦ୍ ଦିଆଯାଇଥିଲା । ତେଣୁ ୧୨ ଜଣଙ୍କର ନାମାଙ୍କନ ପତ୍ର ଏବେ ପୈଠ ଅଛି । ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ସତ୍ୟପାଠରୁ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ଜଣାପଡିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ବାପାଙ୍କ ସମ୍ପତ୍ତିର ଅଧା ଅଛି ପୁଅ ରୁଦ୍ରଙ୍କ ପାଖରେ । ବିଜେଡିରୁ ଟିକେଟ୍ ପାଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ କଥା । ରୁଦ୍ରଙ୍କ ପାଖରେ ୩ କୋଟି ୧ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଆଉ ୬୩ ଲକ୍ଷ ୭୬ ହଜାର ୪୧୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସେହିପରି ୨୦୧୯-୨୦ ମସିହାରେ ରୁଦ୍ରଙ୍କ ବାର୍ଷିକ ରୋଜଗାର ୧୦ ଲକ୍ଷ ୯୦ ହଜାର ୨୩୦ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି । ୨୦୧୯ ବିଧାନସଭା ନିର୍ବାଚନବେଳେ ବାପା ପ୍ରଦୀପ ମହାରଥୀ ଦାଖଲ କରିଥିବା ସତ୍ୟପାଠରେ ୬ କୋଟି ୨୪ ଲକ୍ଷ ୩୯ ହଜାର ୬୨୭ ଟଙ୍କାର ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଇଥିଲେ । ଅର୍ଥାତ୍ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଠାରୁ ରୁଦ୍ର ମହାରଥୀଙ୍କ ପାଖରେ ଅଧା ସମ୍ପତ୍ତି ଅଛି । ପ୍ରଦୀପ ମହାରଥୀ ସତ୍ୟପାଠରେ ୧୩ ଲକ୍ଷ ୯୨ ହଜାର ୨୦୯ ଟଙ୍କାର ଋଣ ଥିବା ଦର୍ଶାଇଥିଲେ । ଓ ରୁଦ୍ର ମହାରଥୀ ମଧ୍ୟ ତାଙ୍କ ନାରେ ୧୩ ଲକ୍ଷ ୫୦ ହଜାର ୧୪ ଟଙ୍କାରୁ ଋଣ ଥିବା ଦର୍ଶାଇଛନ୍ତି ।
ରୁଦ୍ରଙ୍କ ପତ୍ନୀ ଜାଗୃତିଙ୍କର ସ୍ଥାବର ସମ୍ପତ୍ତି ୨୧ ଲକ୍ଷ ୩୫ ହଜାର ୫୮୬ ଏବଂ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା । ୨୦୧୯ -୨୦ରେ ରୁଦ୍ରଙ୍କ ପତ୍ନୀ ଜାଗୃତି ୪ ଲକ୍ଷ ୭୪ ହଜାର ୧୯୦ ଟଙ୍କା ରୋଜଗାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here