ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଆଜି ଅଭିଯୁକ୍ତ ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ସୌମ୍ୟରଂଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ସେ ଉପସ୍ଥିତ ନ ଥିଲେ ବୋଲି କହି ଆସୁଥିବା ଡିଏଫଓ ସଂଗ୍ରାମ ଆଜି କୁଆଡେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଆଗରେ ଉପସ୍ଥିତ ଥିବା ମାନିଛନ୍ତି । କିନ୍ତୁ ମୃତ୍ୟୁକାଳୀନ ଜମାନବନ୍ଦୀରେ କଣ ଲେଖାଯାଇଥିଲା, ସେ ଜାଣିନାହାଁନ୍ତି ବୋଲି କହିଛନ୍ତି ।
କିନ୍ତୁ କ୍ରାଇମବ୍ରାଞ୍ଚ ଜେରା ପରେ ବାହାରକୁ ଆସିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ ସଂଗ୍ରାମ । ବରଂ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ରାଗିଯାଇଥିଲେ । ଯାହା ପଚାରିବା କଥା କ୍ରାଇମବ୍ରାଞ୍ଚଙ୍କୁ ପଚାର ବୋଲି କହିଥିଲେ । ମୁଁ କିଛି କହିବି ନାହିଁ ବୋଲି କହିଥିଲେ । ସାମ୍ବାଦିକମାନେ ତାଙ୍କୁ ବିଦ୍ୟାଭାରତୀଙ୍କ ସହ ତାଙ୍କର ସଂପର୍କ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ କରିଥିବା ଅଭିଯୋଗ ସଂପର୍କରେ ପଚାରିଥିଲେ । ମାତ୍ର ସେ କିଛି କହି ନଥିଲେ । ଗୁଡେଇତୁଡେଇ ପ୍ରଶ୍ନ ପଚାରିବାରୁ ସେ ରାଗିକି ମତେ ବାଟ ଛାଡନ୍ତୁ ବୋଲି କହିଥିଲେ ।
ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କଥାବାର୍ତ୍ତା ଓ ବ୍ୟବହାର ଅଜବ ଲାଗୁଥିଲା । ସେ ସିଧାସଳଖ କିଛି ଉତ୍ତର ଦେବା ପରିବର୍ତ୍ତେ ଚିଡିଚିଡି ହେଉଥିଲେ ଓ ପ୍ରଶ୍ନର ଜବାବରେ ନିଜର କ୍ରୋଧ ପ୍ରକାଶ କରୁଥିଲେ । ତାଙ୍କର ବଡି ଲାଙ୍ଗୁଏଜ୍ ଏମିତି ଥିଲା, ଯେମିତି ସେ ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟର ଅନେକ କଥା ଲୁଚାଉଛନ୍ତି । କେମିତି ସେ ସାମ୍ବାଦିକଙ୍କ ନିକଟରୁ ମୁକୁଳିବେ, ସେହି ଚିନ୍ତାରେ ଥିଲେ । ତେବେ କ୍ରାଇମବ୍ରାଞ୍ଚ ବାବୁମାନେ ସଂଗ୍ରାମଙ୍କ ପେଟରୁ କେତେ ସତ ଉଗାଳିଛନ୍ତି, ତାହା ତାଙ୍କୁ ହିଁ ଜଣା ।