ଆଫଗାନିସ୍ତାନରୁ ଫେରିଲେ 168 ଯାତ୍ରୀ । ଭାରତୀୟ ବାୟୁସେନାର ସି-17 ବିମାନରେ 107 ଜଣ ଭାରତୀୟଙ୍କ ସମେତ ମୋଟ 168 ଜଣ ଯାତ୍ରୀ ଭାରତରେ ପହଞ୍ଚିଛନ୍ତି । ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ବିମାନ ଅବତରଣ କରିଛି । ତେବେ ଆଫଗାନ୍ତିସ୍ତାନରୁ 107 ଜଣ ଭାରତୀୟଙ୍କ ସହ ଆଫଗାନିସ୍ତାନ ନାଗରିକ ମଧ୍ୟ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ଆଫଗାନିସ୍ତାନ ସିନେଟର ଥିବା ଜଣାପଡିଛି । ସିନେଟର ନରେନ୍ଦର ସିଂ ଖାଲସା ଭାରତରେ ପହଞ୍ଚିବା ପରେ କୋହ ସମ୍ବରଣ କରି ନ ପାରି କାନ୍ଦି ପକାଇଛନ୍ତି । ତାଲିବାନଙ୍କ ବର୍ବରତା କଥା ମନେ ପକାଇ ସେ ସାମ୍ବାଦିକଙ୍କ ଆଗରେ କାନ୍ଦିଥିଲେ । ଗତ କୋଡିଏ ବର୍ଷ ଧରି ଆମେ ଯାହା କରିଥିଲୁ, ଏବେ ସବୁ ଶେଷ ହୋଇଗଲା । ପୁଣି ଆଫଗାନିସ୍ତାନ ‘ଶୂନ’ କୁ ଚାଲିଗଲା ବୋଲି ସେ କହିଛନ୍ତି । ବିମାନରେ ଆସିଥିବା ଆଉ ଜଣେ ଆଫଗାନ ନାଗରିକ ନିଜ ଝିଅ ଓ ଦୁଇ ନାତୁଣୀଙ୍କୁ ଧରି ଭାରତ ପଳାଇ ଆସିଛନ୍ତି । ତାଲିବାନ ସେମାନଙ୍କ ଘରକୁ ନିଆଁ ଲଗାଇ ଧ୍ବଂସ କରିଦେଇଛନ୍ତି । ତାଲିବାନଙ୍କ ବର୍ବରତା ଓ କ୍ରୁରତା ସହ୍ୟ କରି ନ ପାରି ଦେଶ ଛାଡି ପଳାଇ ଆସିଲୁ ବୋଲି କହିଛନ୍ତି ।

ଆଫଗାନ୍ତିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ କାବୁଲ ସମେତ କେତେକ ସହରରେ ତାଲିବାନଙ୍କ ଅତ୍ୟାଚାର ଅସହ୍ୟ ହେବାରେ ଲାଗିଛି । ଅନେକ ଆଫଗାନିସ୍ତାନ ନାଗରିକ ଦେଶ ଛାଡିବାକୁ ଚାହୁଁଥିଲେ ବି ସେମାନଙ୍କ ପାଖରେ ବିକଳ୍ପ କିଛି ନାହିଁ । ତେବେ ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିଦିନ ଦୁଇଟି ବିମାନକୁ କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟରେ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here