ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ । ଆସନ୍ତାବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ବିଜୟଙ୍କ ଇସ୍ତଫା ଗୁଜରାଟ ରାଜନୀତିକୁ ସରଗରମ କରିଛି । ତେବେ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କୁ ନିର୍ବାଚନ ପୂର୍ବରୁ ହଟାଇବା ପଛରେ ଦଳୀୟ ରଣକୌଶଳ ରହିଛି ବୋଲି କୁହାଯାଉଛି । ରୂପାଣୀଙ୍କ ଦାୟିତ୍ବ ବିଜେପି କାହାକୁ ପ୍ରଦାନ କରିବ, ତାହା ଅଳ୍ପ ସମୟ ଭିତରେ ସ୍ପଷ୍ଟ ହୋଇଯିବ ।
2016 ଅଗଷ୍ଟରେ ବିଜୟ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । 2017 ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ, ତାକୁ ନେଇ ଚର୍ଚ୍ଚା ଚାଲିଛି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ପରେ ରୂପାଣୀ କହିଛନ୍ତି, ଦଳ ତାଙ୍କୁ ଯାହା ଦାୟିତ୍ବ ଦେବ, ସେ କରିବେ । ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।
ବିଜୟ ରୂପାଣୀଙ୍କ ଇସ୍ତଫା ପରେ ବିଜେପି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିପାରେ ବୋଲି କୁହାଯାଉଛି । ନଚେତ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି ।