ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ହ୍ବାଇଟହାଉସରେ ସାକ୍ଷାତ କରିବା ପରେ ଦୁଇ ରାଷ୍ଟ୍ରମୁଖ୍ୟ ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଇଛନ୍ତି । ଆଫଗାନିସ୍ଥାନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସ୍ବାକ୍ଷରରେ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି ଯେ, ଆଫଗାନିସ୍ଥାନରେ ମାନବିକ ଅଧିକାରର ସୁରକ୍ଷା, ମହିଳା ଓ ଶିଶୁଙ୍କ ଅଧିକାରର ସୁରକ୍ଷା ପାଇଁ ତାଲିବାନ ସରକାର ପ୍ରତିବଦ୍ଧ ହେବା ଉଚିତ । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ, ତାଲିମ ପ୍ରଦାନ, ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ଭଳି କାର୍ଯ୍ୟ ଯେପରି ଆଫଗାନିସ୍ଥାନରେ ନ ହୁଏ, ସେଥିପ୍ରତି ତାଲିବାନ ସରକାର ଧ୍ୟାନ ଦେବା ଆବଶ୍ୟକ । ଜାତିସଂଘ ନିରାପତ୍ତା ପରିଷଦ ସଂକଳ୍ପ 2021କୁ ତାଲିବାନ ସରକାର ପାଳନ କରିବା ଆବଶ୍ୟକ । ଗତ ଅଗଷ୍ଟରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ ଏବଂ ଏହି ବୈଠକରେ ପାରିତ ସଂକଳ୍ପରେ କୁହାଯାଇଛି ଯେ, ଆତଙ୍କବାଦୀ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା, ଅନ୍ୟ ରାଷ୍ଟ୍ରକୁ ଧମକାଇବା ଓ ଆକ୍ରମଣ କରିବା ଭଳି କାର୍ଯ୍ୟ ଯେପରି ଆଫଗାନିସ୍ଥାନରେ ନହୁଏ, ତାଲିବାନ ସରକାର ତାହା ପାଳନ କରିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here