ବିଜେଡିରେ ଯୋଗଦେଲେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଏବଂ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଲାର କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି । ଦଳର ବରିଷ୍ଠ ବିଧାୟକ ତଥା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରଦୀପ ନିଜ ସମର୍ଥକଙ୍କ ସହ ଶଙ୍ଖ ଧରିଥିବା ବେଳେ ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ ।

କଂଗ୍ରେସରେ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ପ୍ରଦୀପ ମାଝୀ ନବରଙ୍ଗପୁରରୁ କଂଗ୍ରେସ ଟିକଟରେ ପୂର୍ବରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ଯଦିଓ ସେ ନିର୍ବାଚନ ରାଜନୀତିରେ ଫେଲ୍ ମାରିଥିଲେ, କିନ୍ତୁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ତାଙ୍କର ଦବଦବା ରହିଥିଲା । ଜଣେ ଦକ୍ଷ ସଂଗଠକ ଭାବେ ଦକ୍ଷିଣ ଓଡିଶାରେ ସେ କଂଗ୍ରେସର ସଂଗଠନକୁ ସୁଦୃଢ କରି ରଖିଥିଲେ । ଲୋକଙ୍କ ପାଇଁ ଲଗାତର ଭାବେ ଆନ୍ଦୋଳନ କରୁଥିଲେ । ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ମଧ୍ୟ ଦେଇଥିଲା ଏଆଇସିସି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟିମରେ ସେ ଆଗଧାଡିର ନେତା ଥିଲେ । କିନ୍ତୁ ରାଜ୍ୟରେ ବିଜେଡିର ପ୍ରଭାବ ଓ ଲୋକପ୍ରିୟତା ଆଗରେ ପ୍ରଦୀପଙ୍କ ସଂଗଠନ ଫିକା ପଡିଯାଉଥିଲା । କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଓ ଦୀଶାହୀନ ରାଜନୀତି ନେଇ ସେ ଅସନ୍ତୁଷ୍ଟ ଥିଲେ । କଂଗ୍ରେସର ନେତୃତ୍ବ ନେଇ ସେ ଯଦିଓ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରୁ ନ ଥିଲେ, କିନ୍ତୁ ତାଙ୍କ ଅସନ୍ତୋଷ ଗତ କିଛିଦିନ ଧରି ବାରି ହୋଇ ପଡୁଥିଲା । ଶେଷରେ ଗତ କୋଡିଏ ବର୍ଷ ଧରି ଯେଉଁ ଦଳ ବିରୋଧରେ ଗର୍ଜି ଗର୍ଜି ସେ ରାଜନୀତି କରୁଥିଲେ, ସେହି ଦଲର ପତାକା ପକାଇ ସେ ବିଜେଡିରେ ସାମିଲ ହୋଇଗଲେ ।

ଆଉ ନବୀନ ସରକାରକୁ ସମାଲୋଚନା କରିବେନି କି ବିଜେଡି ବିରୋଧରେ ଗର୍ଜିବେନି । ଆଜିଠୁ ପ୍ରଦୀପଙ୍କ ରାଜନୀତି ଆଦର୍ଶ ହେବ, ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ।

ପ୍ରଦୀପ ବିଜେଡିରେ ମିଶିବାରେ କିଛି ଅସୁବିଧା ନାହିଁ । ଏବେ ରାଜନୀତିର ନୀତି ହିଁ ସେଇୟା କହୁଛି । କ୍ଷମତା ଯେଉଁଠି, ରାଜନୀତି ସେଇଠି । କିନ୍ତୁ ପ୍ରଦୀପଙ୍କ ଦଳରେ ମିଶାଇବାର ସଫଳତା ବିଜେଡି ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ଦକ୍ଷିଣ ଓଡିଶାରେ ବିରୋଧୀ ଶିବିରକୁ ସେତିକି ଜବରଦସ୍ତ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ ।

LEAVE A REPLY

Please enter your comment!
Please enter your name here