ନିଜକୁ ଅସୁରକ୍ଷିତ ମଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜଧାନୀରେ ଜଣେ ମହିଳା ସାଂସଦ ଭାବରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଏହା ସହିତ ସମସ୍ତ ଘଟଣା ପାଇଁ ଘରର ମୂରବି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଦାୟୀ କରିଛନ୍ତି । ଏହାସହିତ ଆସନ୍ତା ୨୪ ଘଣ୍ଟା ଭିତରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ ଲାଗି ଦାବି କରିଛନ୍ତି ଅପରାଜିତା । ଏହି ଘଟଣାରେ ସେ ସଂସଦରେ ଉପସ୍ଥାପନ ମଧ୍ୟ କରିବେ ବୋଲି କହିଛନ୍ତି । ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢିବାରେ ଲାଗିଛି । ମହିଳାଙ୍କୁ ନିର୍ଯାତନା କ୍ଷେତ୍ରରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ହେଲେ ରାଜ୍ୟ ସରକାର ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଇ ଓଡିଶାକୁ ଏକ ନମ୍ବର କରିବା ପାଇଁ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି । ରାଜ୍ୟ ସରକାର ଟିଏମସି ରାସ୍ତାରେ ଯାଉଛନ୍ତି ବୋଲି ସେ କହିଛନ୍ତି । ତେବେ ଗତକାଲି ରାତିରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହିଳା ସାଂସଦ ହୋଇଥିବାରୁ ରାଜ୍ୟ ସରକାର ତାଙ୍କୁ କାମ କରିବାକୁ ଦେଉନାହାଁନ୍ତି । ଏପରିକି ସେ ଯାଉଥିବା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।