ଶ୍ରୀକ୍ଷେତ୍ରରେ ରକ୍ତର ଛିଟା । ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୁରୀ ବାରବାଟୀ ନିକଟରେ ତାଙ୍କୁ ଗୁଳିମାଡ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବାବେଳେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁଆର ମହାସୁଆର ନିଯୋଗର ସମ୍ପାଦକ ଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମେଡିକାଲରେ ପହଁଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଜମି ଡିଲ୍ ବେଳେ ଦୁଇ ଦୁବୃର୍ତ୍ତ ବାଇକରେ ଆସି ତାଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି କରିଥିବା କହିଛନ୍ତି ଦେଖଣାହାରୀ ।
ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ କୃଷ୍ଣଚନ୍ଦ୍ର ଅନ୍ୟତମ ଅଭିଯୁକ୍ତ ଥିଲେ । ନିକଟରେ ଏହାର ରାୟ ପ୍ରକାଶ ପାଇଥିଲା ଏବଂ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ ।