ଆଜିଠାରୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ପୁରୀ ଜିଲ୍ଲାବାସୀ ପାଇବେ ଅତ୍ୟାଧୁନିକ ଚିକିତ୍ସା ସେବା । ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି । କଲେଜ ପରିସରରେ ପ୍ରସ୍ତୁତି ହେଲିପ୍ୟାଡରେ ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବ । ଏହାପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଯୋଗଦେବେ । ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମ ବ୍ୟାଚରେ ୧୦୦ ଏମବିବିଏସରେ ସିଟରେ ଛାତ୍ରଛାତ୍ରୀଙ୍କ ଆଡମିଶନ ସରିଛି । ଏହି ମେଡିକାଲ କଲେଜର ନିର୍ମାଣ ପାଇଁ ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମବିବିଏସ ଷ୍ଟୁଡେଣ୍ଟମାନେ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨ ବର୍ଷ ମଧ୍ୟରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ନିଜସ୍ୱ ମେଡିକାଲ ନିର୍ମାଣ ଶେଷ ହେବା ପରେ ଏଠାରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡର ବାଲିଗୁଆଳିରେ ସ୍ଥାପନ ହୋଇଛି ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ । ଏଠାରେ ଉଭୟ ପର୍ଯ୍ୟଟକ ଏବଂ ପୁରୀ ଜିଲ୍ଲାବାସୀ ଉତ୍ତମମାନର ଚିକିତ୍ସା ସୁବିଧା ପାଇପାରିବେ ।

LEAVE A REPLY

Please enter your comment!
Please enter your name here