ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ । ମନି ଲଣ୍ଡରିଂ ମାମଲାରେ ଇଡି ଜୈନଙ୍କୁ ଗିରଫ କରିଛି । ମାତ୍ର ଜୈନଙ୍କ ବିରୋଧରେ ହୋଇଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ ବୋଲି କହିଛନ୍ତି ସେ । ଆମ୍ ଆଦମୀ ପାର୍ଟି ଏକ ଦୁର୍ନୀତିମୁକ୍ତ ରାଜନୈତିକ ଦଳ ଏବଂ କୌଣସି ନେତାଙ୍କ ପାଖରେ ଦୁର୍ନୀତିର ପ୍ରମାଣ ମିଳିଲେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ପଞ୍ଜାବର ଉଦାହରଣ ଦେଇ ସେ କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଂଘଲାଙ୍କୁ ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀମଣ୍ଡଳରୁ ମୁଖ୍ୟମନ୍ତ୍ରୀ ମାନ୍ ବହିଷ୍କାର କଲେ । ଦଳ ଚାହିଁଥିଲେ ଏହାକୁ ଚପେଇ ଦେଇ ପାରିଥାନ୍ତା । କେନ୍ଦ୍ରୀୟ ଏଜେନ୍ସି ଆଣୁଥିବା ଅନେକ ଆରୋପର କୌଣସି ଆଧାର ନଥାଏ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏଭଳି ମିଥ୍ୟା ଆରୋପ ଲଗାଯାଇଥାଏ । ସତ୍ୟେନ୍ଦ୍ର ଜୈନ ନିର୍ଦ୍ଦୋଷ ଏବଂ ନ୍ୟାୟିକ ପ୍ରକ୍ରିୟାରେ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗରୁ ସେ ମୁକ୍ତ ହେବେ ବୋଲି କେଜ୍ରିଓ୍ୱାଲ ଆଶା ପ୍ରକାଶ କରିଛନ୍ତି ।