ଠକେଇ ଅଭିଯୋଗରେ ବଡଖବର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ ଇଓଡବ୍ଲୁ ଚଢଉ କରିଛି । ବଡଖବର ଚ୍ୟାନେଲ ଆରମ୍ଭ କରିବା ବେଳେ ଦିଲ୍ଲୀର ଏକ କଂପାନୀରୁ ବୈଷୟିକ ସହାୟତା ନେଇଥିଲେ ଅର୍ଦ୍ଧେନ୍ଦୁ । ଚ୍ୟାନେଲ ପାଇଁ ଆବଶ୍ୟକ ସରଞ୍ଜାମ ହାର୍ଡଓ୍ବେୟାର ଓ ସଫ୍ଟଓ୍ବେୟାର ଯୋଗାଇବାକୁ ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟ ପ୍ରୋପ୍ରାଇଟର ଗଗନଦୀପ ଚାଓ୍ବଲାଙ୍କ ସହ ଚୁକ୍ତି ହୋଇଥିଲା । ମାତ୍ର ସଂପୃକ୍ତ କଂପାନୀ ପକ୍ଷରୁ ବୈଷୟିକ ସହାୟତା ଯୋଗାଇବା ପରେ ମଧ୍ୟ ଚୁକ୍ତି ମୁତାବକ ଟଙ୍କା ସଂପୃକ୍ତ କଂପାନୀକୁ ବଡଖବର ପକ୍ଷରୁ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି । ପ୍ରାୟ 92 ଲକ୍ଷ ଟଙ୍କା କଂପାନୀର ବାକି ରହିଛି । ଏ ସଂପର୍କରେ କଂପାନୀ ପକ୍ଷରୁ ବାରମ୍ବାର ବଡଖବର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଟଙ୍କା ଦେଇ ନ ଥିଲେ ଅର୍ଦ୍ଧେନ୍ଦୁ । ଶେଷରେ ଉକ୍ତ କଂପାନୀ ଓଡିଶା ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ । ଇଓଡବ୍ଲୁ ପକ୍ଷରୁ ଦୁଇଥର ନୋଟିସ କରାଯାଇଥିଲେ ମଧ୍ୟ ଅର୍ଦ୍ଧେନ୍ଦୁ ହାଜର ହୋଇ ନ ଥିଲେ । ଶେଷରେ ଆଜି ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କ ଜାଗମରା ସ୍ଥିତ ଘରେ ଚଢଉ କରିଛି । ତେବେ ଚଢଉ ସମୟରେ ଅର୍ଦ୍ଧେନ୍ଦୁ ଦାସ ଘରେ ନ ଥିଲେ ।